କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ମୃତକଙ୍କ ମଧ୍ୟରେ ୪ ଓଡ଼ିଆ

ହାଇଦ୍ରାବାଦ: ତେଲେଙ୍ଗାନାର କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା । ବିସ୍ଫୋରଣ ଘଟଣାରେ ୪ ଓଡ଼ିଆଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ୪ ମୃତକ ହେଲେ ଗଞ୍ଜାମ, କଟକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାର । ତେବେ ଏଯାଏଁ ବିସ୍ଫୋରଣ ଘଟଣାରେ ୩୫ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ପଶାମିଲାରାମ ସିଗାଚି କେମିକାଲ୍ ଫ୍ୟାକ୍ଟ୍ରିରେ ଗତ ୩୦ ତାରିଖରେ ହୋଇଥିଲା ଭୟଙ୍କର ବିସ୍ଫାରଣ ।

ସୂଚନା ଅନୁସାରେ, ଗତ ୩୦ ତାରିଖରେ ତେଲେଙ୍ଗାନାର ଏକ ରାସାୟନିକ କାରଖାନାରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ସମଗ୍ର ଅଞ୍ଚଳରେ ଧୂଆଁ ଦେଖାଯାଇଥିଲା। ନିଆଁର ଜ୍ୱାଳା କାରଖାନାକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରିଥିଲା । ଫ୍ୟାକ୍ଟିରେ ଶ୍ରମିକମାନେ କାମ କରୁଥିଲେ ଜୋରରେ ବିସ୍ଫୋରଣ ଶୁଣି କିଛି କର୍ମଚାରୀ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିବା ବେଳେ ଅନେକ ଶ୍ରମିକ ଭିତରେ ଫସି ଯାଇଥିଲେ। ଖବର ପାଇ ତେଲେଙ୍ଗାନା ଅଗ୍ନିଶମ ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସାଙ୍ଗାରେଡିର ମେଡକରେ ଥିବା ପାସମାଇଲାରାମ ଫେଜ୍ 1 ସିଗାଚି ଫାର୍ମା କମ୍ପାନୀର ଏକ ରିଆକ୍ଟର ବିସ୍ଫୋରଣ ହୋଇଥିଲା । ପ୍ରାୟ ୫୦ରୁ ଅଧିକ ଜଣ ଆହତ ହୋଇଥିଲେ।