ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ରିଆମାଳ ଅଞ୍ଚଳରେ ଜଣେ ଯୁବକ ନିଜ ପ୍ରେମିକାଙ୍କ ଘରକୁ ରାତିରେ ଯାଇଥିବା ବେଳେ ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିବା ସହ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ ନିକଟସ୍ଥ ବାବରାକୋଟ ଗ୍ରାମର ବାସିନ୍ଦା ସିଲୁ ରାୟ।
ସୂଚନା ଅନୁଯାୟୀ, ମୃତ ସିଲୁ ଇଞ୍ଜିନିୟରିଂ ପାଠପଢ଼ା ଶେଷ କରି ସ୍ଥାନୀୟ ଅଞ୍ଚଳରେ କିଛି ବର୍ଷ କାମ କରିଥିଲେ। ପ୍ରାୟ ଚାରି ମାସ ତଳେ ସେ ମୁମ୍ବାଇ ଯାଇ ଏକ ଘରୋଇ ସଂସ୍ଥାରେ ଯୋଗ ଦେଇଥିଲେ। ସେ ଗତକାଲି ସକାଳେ ହିଁ ମୁମ୍ବାଇରୁ ଘରକୁ ଫେରିଥିଲେ। ସନ୍ଧ୍ୟାରେ ସେ ଦେବଗଡ଼ ଆଡ଼କୁ ଯାଉଥିବା କଥା ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ସେ ରିଆମାଳର ଲକ୍ଷ୍ମୀ ଛକ ନିକଟରେ ଥିବା ନିଜ ପ୍ରେମିକାଙ୍କ ଘରକୁ ତାଙ୍କୁ ଭେଟିବାକୁ ଯାଇଥିଲେ।

ସେଠାରେ ଝିଅର ପରିବାର ଲୋକେ ତାଙ୍କୁ ଦେଖିପାରିଥିଲେ। ଏହାକୁ ନେଇ ଝଗଡ଼ା ହୋଇଥିଲା ଏବଂ ପରିବାର ଲୋକେ ସିଲୁଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ରକ୍ତାକ୍ତ ହେବା ପର୍ଯ୍ୟନ୍ତ ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ ଏବଂ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୀଡ଼ିତଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ସିଲୁ ରକ୍ତାକ୍ତ ଅବସ୍ଥାରେ ଥିବା ବେଳେ ହିଁ ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ଜୀଅନ୍ତା ଜାଳି ଦେଇଥିଲେ। ତାଙ୍କ ମୃତଦେହ ବର୍ତ୍ତମାନ ପ୍ରେମିକାଙ୍କ ଘରେ ପଡ଼ିରହିଛି।
ଖବର ପାଇ ରିଆମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକାଙ୍କ ସମେତ ତାଙ୍କ ବାପା ଓ ମାଆଙ୍କୁ ଅଟକ ରଖିଛି। ଏଥିସହିତ, ପୋଲିସ ଘଟଣାସ୍ଥଳକୁ ସିଲ୍ କରିଦେଇଛି। ବୈଜ୍ଞାନିକ ଦଳ ଏବଂ ସ୍ନିଫର୍ ଡଗ୍ ପହଞ୍ଚିବା ପରେ ପରବର୍ତ୍ତୀ ତଦନ୍ତ କରାଯିବ। ଅନ୍ୟପକ୍ଷରେ, ମୃତକଙ୍କ ବଡ଼ ଭାଇ ଯଶୋଧର ରାୟ ଏନେଇ ରିଆମାଳ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି।