ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ
ୱେଷ୍ଟଇଣ୍ଡିଜ୍ ମାଟିରେ ଗର୍ଜିବ ରୋହିତ ଓ ବିରାଟଙ୍କ ବ୍ୟାଟ୍
୨୦୨୭ ବିଶ୍ୱକପ୍ ପାଇଁ ବଡ଼ ସଙ୍କେତ ଦେଲା ବିସିସିଆଇ
ବାଦ୍ ପଡ଼ିଲେ ହାର୍ଦ୍ଦିକ, ଦଳକୁ ଫେରିଲେ ଜାଡେଜା
୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ମିଳିଲା ବଡ଼ ସଂକେତ ! ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଏହି ସିରିଜ୍ରେ ଦୁଇ ଅଭିଜ୍ଞ ଓ ଚର୍ଚ୍ଚିତ କ୍ରିକେଟ ତାରକା ରୋହିତ ଶର୍ମା ଓ ବିରାଟ କୋହଲି ନିଜ ସ୍ଥାନ ବଜାୟ ରଖିଛନ୍ତି , ଯାହା ଟିମ ଇଣ୍ଡିଆର ବିଶ୍ୱକପ୍ ଯୋଜନା ବିଷୟରେ ଏକ ସ୍ପଷ୍ଟ ଇସାରା ଦେଉଛି ।
ଅନ୍ୟପଟେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନମନ ଧୀର ଓ ଆକିବ ନବୀ ନୂଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି । ୨୦୨୭ ବିଶ୍ୱକପ୍ ଖେଳିବା ନେଇ ରୋହିତ ଶର୍ମା ପୂର୍ବରୁ ଆଗ୍ରହ ପ୍ରକାଶ କରିଥିବା ବେଳେ, ଏହି ସିରିଜ୍ରେ ତାଙ୍କ ଚୟନ ଏବଂ ବିରାଟଙ୍କ ଉପସ୍ଥିତି ଦଳ ପାଇଁ ବେଶ୍ ଲାଭଦାୟକ ହେବ ବୋଲି ଆଶା କରାଯାଉଛି । ୨୦୨୫ ଅକ୍ଟୋବରରେ ଅଧିନାୟକ ପଦ ଶୁବମନ ଗିଲଙ୍କ ହାତକୁ ଯାଇଥିଲେ ବି, ରୋହିତ ଲଗାତର ଦିନିକିଆ ଖେଳିବା ଜାରି ରଖିଛନ୍ତି । ଇଂଲଣ୍ଡ ଗସ୍ତରେ ଲର୍ଡ୍ସରେ ରୋହିତ ନିଜର ଶେଷ ଦିନିକିଆ ଶତକ ମାରିଥିଲେ । ଅନ୍ୟପଟେ, ଦୀର୍ଘ ୮ ମାସର ବ୍ୟବଧାନ ପରେ ଦିନିକିଆ ଦଳକୁ ପୁଣି ଫେରିଛନ୍ତି ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ପେସ୍ ବୋଲିଂ ବିଭାଗକୁ ମଜବୁତ୍ କରିବାକୁ ମହମ୍ମଦ ସିରାଜଙ୍କୁ ଡାକରା ମିଳିଥିବା ବେଳେ, ଅନଫିଟ୍ କାରଣରୁ ବାଦ୍ ପଡ଼ିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଏହି ଦିନିକିଆ ଦଳରେ ନମନ ଧୀର ଓ ଆକିବ ନବୀଙ୍କ ଭଳି ନୂଆ ମୁହଁଙ୍କୁ ମଧ୍ୟ ସୁଯୋଗ ମିଳିଛି । କେବଳ ଦିନିକିଆ ନୁହେଁ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଗଠିତ ଏହି ଦଳରେ ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ ଏବଂ ଈଶାନ କିଷନ ନିଜ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି । ତେବେ ରୋହିତ ଓ ବିରାଟଙ୍କୁ କ୍ରମାଗତ ଭାବେ ସୁଯୋଗ ମିଳୁଥିବାରୁ ଉଭୟଙ୍କୁ ୨୦୨୭ ବିଶ୍ୱକପ୍ ଖେଳିବାକୁ ସୁଯୋଗ ନିଶ୍ଚିତ ମିଳିବ ବୋଲି ଆଶା ରଖିଛନ୍ତି ଉଭୟଙ୍କ ପ୍ରଶଂସକ ।