ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ ବର୍ଷା। ଘନଘନ ଲଘୁଚାପ ପାଇଁ ବର୍ଷା ପରିମାର କମ ହେବନି । ଗୋଟିଏ ଲଘୁଚାପ ପଛକୁ ଆଉ ଗୋଟିଏ ଲଘୁଚାପ ଲାଗିରହିଛି । ସେଥିପାଇଁ ରାଜ୍ୟରେ କିଛି ଦିନ ଯାଏ ବର୍ଷା ଜାରିରହିବା ବର୍ତ୍ତମାନ ରାଜ୍ୟ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ରହିଥିବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଜାରି ରହିଥିବା ବର୍ଷାର ପରିମାଣ ୨୫ ତାରିଖରୁ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଲଘୁଚାପର ପ୍ରଭାବ ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ପରବର୍ତ୍ତୀ ତିନିଦିନ ପର୍ୟ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୫ରେ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା, ବଲାଙ୍ଗିରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ସୋନପୁର, ବୌଦ୍ଧ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ ନୟାଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ରହିଛି।