ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ବିଧାନସଭାରେ ପାରିତ ହେଲା ସଂକଳ୍ପ

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ବିଧାନସଭାରେ ସଂକଳ୍ପ ପାରିତ  । ଦେଶର ପ୍ରଥମ ରାଜ୍ୟ ଭାବେ କେରଳମ ବିଧାନସଭାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ଗୋଟିଏ ସଂକଳ୍ପ ପାରିତ ହୋଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆରକୁ ନେଇ ବିବାଦ ଭିତରେ କେରଳମ ବିଧାନସଭା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ଦେଶର ପ୍ରଥମ ରାଜ୍ୟ ଭାବେ କେରଳମ ଏପରି ପଦକ୍ଷେପ ନେଇ ଇତିହାସ ରଚିଥିବା ମୁଖ୍ୟମନ୍ତ୍ରୀ ଭିଡି ସତୀଶନ କହିଛନ୍ତି। ସେ ହିଁ ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ପଦରୁ ହଟାଇବାକୁ ବିଧାନସଭାରେ ପ୍ରସ୍ତାବ ଆଗତ କରିଥିଲେ। ଆଉ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ସହ ବିରୋଧୀ ବାମଦଳ ଏହାକୁ ସମର୍ଥନ କରିଥିଲା। ଏହାପରେ ଏହି ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି।

ମୁଖ୍ୟମନ୍ତ୍ରୀ ସତୀଶନ କହିଛନ୍ତି,  କେରମଳ ଏବେ ଇତିହାସ ରଚିଛି। ପ୍ରଥମଥର ପାଇଁ କେରଳମ ବିଧାନସଭା ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ସଂକଳ୍ପ ପାରିତ ହୋଇଛି। ଆମ ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତାରେ କୌଣସି ପ୍ରକାରର ବୁଝାମଣା କରାଯାଇ ପାରିବ ନାହିଁ।”

ଏହାପୂର୍ବରୁ ବିଧାନସଭାରେ ଜ୍ଞାନେଶ କୁମାର ବିରୋଧୀ ସଂକଳ୍ପ ପ୍ରସ୍ତାବ ଆଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୋଟର ତାଲିକାରୁ ଅନେକ ଲୋକଙ୍କୁ ହଟାଇ ଦିଆଯିବାର ଲକ୍ଷଲକ୍ଷ ଅଭିଯୋଗ ରହିଛି। ଏହା ଗଣତାନ୍ତ୍ରିକ ମୂଲ୍ୟବୋଧର ସ୍ପଷ୍ଟ ଉଲ୍ଲଙ୍ଘନ।