ଭେଟରାନ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଛି ବଡ଼ ଦାୟିତ୍ୱ। ବେଙ୍ଗଲରେ ବିଜେପି କ୍ଷମତାକୁ ଆସିବା ପରେ ମିଥୁନଙ୍କୁ ନୂଆ ଦାୟିତ୍ୱ ମିଳିଛି। ତାଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିବାରୁ ମିଥୁନଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ଭଳି ସବୁ ସୁବିଧା ମିଳିବ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧୀନରେ ଥିବା ସୂଚନା ଓ ସାଂସ୍କୃତି ବ୍ୟାପାର ବିଭାଗରେ ସେ କ୍ୟାବିନେଟ୍ ପାହ୍ୟା ସଦସ୍ୟ ଭାବେ କାର୍ଯ୍ୟ କରିବେ। ବେଙ୍ଗଲ ଅଭିନେତା ଉତ୍ତମ କୁମାରଙ୍କ ଶତବାର୍ଷିକ ଉତ୍ସବ ସମୟରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏପରି ଘୋଷଣା କରିଛନ୍ତି। ଆଗକୁ ବେଙ୍ଗଲ ସରକାର ରାଜ୍ୟ ଫିଲ୍ମ ଐତିହ୍ୟକୁ ଆଗକୁ ନେବାକୁ ଯୋଜନା କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ଫିଲ୍ମ ଓ ସାଂସ୍କୃତିକ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରୁଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାର ନ୍ୟୁ ଟାଉନ୍ରେ ଉତ୍ତମ କୁମାର ଫିଲ୍ମ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଫିଲ୍ମ ନିର୍ମାଣ ଓ ଏହା ସହ ଜଡ଼ିତ କାର୍ଯ୍ୟକୁ ଆଧୁନିକ ରୂପ ଦେବାକୁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଭାରତୀୟ ସିନେମାରେ ମିଥୁନ ଜଣେ ଚର୍ଚ୍ଚିତ ଚେହେରା। ସେ ବିଜେପିର ଜଣେ ସକ୍ରିୟ ପ୍ରଚାରକ ଓ ପଶ୍ଚିମବଙ୍ଗର ଜଣେ ପ୍ରମୁଖ ବ୍ୟକ୍ତି। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମିଥୁନ ବିଜେପି ପାଇଁ ଦିନରାତି ଏକକରି ପ୍ରଚାର କରିଥିଲେ।