ଶାନ୍ତିଶୃଙ୍ଖଳାରେ ପୂଜା ପାଳନ ଉପରେ ଗୁରୁତ୍ୱ

ଯାଜପୁର ଜିଲ୍ଲାର ଗଣପର୍ବ ଭାବେ ପରିଚିତ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜାକୁ ଶାନ୍ତିଶୃଙ୍ଖଳା, ମୈତ୍ରୀ, ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଚଳିତ ବର୍ଷ ନଭେମ୍ବର ୭ ଓ ୮ ତାରିଖରେ ଲକ୍ଷ୍ମୀନାରାୟଣ ପୂଜା ଓ କାଳୀପୂଜା ଆରମ୍ଭ ହେବାକୁ ଥିବାବେଳେ ନଭେମ୍ବର ୧୬ ଓ ୧୭ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଦର୍ଶନାର୍ଥୀଙ୍କ ସମାଗମ ହେଉଥିବାରୁ ପୂଜା ଓ ଭସାଣି ଉତ୍ସବକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ପୂଜା କମିଟି, ଶାନ୍ତି କମିଟି ଓ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କ ସହଯୋଗ କାମନା କରିଥିଲେ।

ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ କର କହିଥିଲେ ଯେ, କାଳୀପୂଜା ଯାଜପୁରର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦାୟିକ ଓ ସାମାଜିକ ଉତ୍ସବ। ଏହି ଉତ୍ସବ ମାଧ୍ୟମରେ ଶାନ୍ତି, ସଦ୍‌ଭାବନା, ସମ୍ପ୍ରୀତି ଓ ଭାଇଚାରାର ବାର୍ତ୍ତା ପ୍ରସାରିତ ହେବା ଆବଶ୍ୟକ। ତେଣୁ ସମସ୍ତ ବିଭାଗ ଓ ପୂଜା କମିଟି ପାରସ୍ପରିକ ସମନ୍ୱୟ ରକ୍ଷା କରି ଦାୟିତ୍ୱର ସହ କାର୍ଯ୍ୟ କରିବା ସହ ଯାଜପୁର ଜିଲ୍ଲାକୁ ଏକ ଆଦର୍ଶ ଉଦାହରଣ ଭାବେ ପ୍ରତିଷ୍ଠିତ କରିବାକୁ ସେ ଆହ୍ୱାନ ଦେଇଥିଲେ।