ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏବଂ ଜିଲ୍ଲା ମିଶନ୍ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପାର୍କ ଲେନ୍ସ୍ଥିତ ପୌରପାଳିକା ଅଡିଟୋରିୟମ୍ଠାରେ ‘ମେଗା କ୍ରେଡିଟ୍ ଆଉଟ୍ରିଚ୍ ପ୍ରୋଗ୍ରାମ୍ ୨.୦’ ଅନୁଷ୍ଠିତ ହୋଇଯାଇଛି।ଏହି ସମାରୋହରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବାରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହିଭଳି କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଦ୍ୱାରା ସିଧାସଳଖ ଗ୍ରାମାଞ୍ଚଳର ମହିଳା ଓ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶାଳ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ମହିଳା ଉଦ୍ୟୋଗୀକରଣ ଓ ଆତ୍ମନିଯୁକ୍ତି ପ୍ରୋତ୍ସାହନ ନିମନ୍ତେ ମୋଟ ୧୧୮.୫୦ କୋଟିର ଋଣ ସହାୟତା ମଞ୍ଜୁର କରାଯାଇଛି। ମିଶନ୍ ଶକ୍ତି ଅଧୀନରେ ୫୪୨ ଜଣ ‘ଲକ୍ଷପତି ଦିଦି’ ହିତାଧିକାରୀଙ୍କୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦିଆଯାଇ ସେମାନଙ୍କ କ୍ଷୁଦ୍ର ଉଦ୍ୟୋଗର ବିକାଶ ଓ ଜୀବିକା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସଂଖ୍ୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, କୃଷକ ଏବଂ ବ୍ୟାଙ୍କିଙ୍ଗ୍ କର୍ମଚାରୀ ଉପସ୍ଥିତ ଥିଲେ।