ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ସଂଶ୍ଳିଷ୍ଟ ଦୁନିଆର ୫ ଧନ କୁବେରମାନେ ୨୦୨୨ର ପ୍ରଥମ କିଛି ସପ୍ତାହରେ ୮୫.୧ ଅରବ ଡଲାର ବା ୬୩୫୪ ଅରବ ଟଙ୍କା ହରାଇଛନ୍ତି । ଗତ ସପ୍ତାହରେ ବଜାରରେ ଅଧିକ ବିକ୍ରି କାରଣରୁ ସେମାନଙ୍କ ସମ୍ପତ୍ତିରେ ସର୍ବାଧିକ ହ୍ରାସ ହୋଇଛି । ବ୍ଲମବର୍ଗ ବିଲିୟନର୍ସ ଇଣ୍ଡେକ୍ସ ମୁତାବକ, ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲଏନ ମସ୍କ ଚଳିତ ବର୍ଷର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୦.୨ ଅରବ ଡଲାର ହରାଇଛନ୍ତି । ଫଳରେ ତାଙ୍କ ମୋଟ ସମ୍ପତ୍ତି ହ୍ରାସ ପାଇ ୨୪୦ ଅରବ ଡଲାର ହୋଇଛି । ମସ୍କଙ୍କ ସମ୍ପତ୍ତି ନଭେମ୍ବର ୨୦୨୧ ତୁଳନାରେ ପ୍ର।।ୟ ୧୦୦ ଅରବ ଡଲାରର ହ୍ରାସ ହୋଇଛି । ମସ୍କଙ୍କର ମୋଟ ସମ୍ପତ୍ତି ୨୦୨୧ ନଭେମ୍ବର ସୁଦ୍ଧା ୩୩୫ ଅରବ ଡଲାରରେ ପହଞ୍ଚି ଯାଇଥିଲା ।
ସେହିପରି ବ୍ଲମବର୍ଗ ଇଣ୍ଡେକ୍ସ ଅନୁଯାୟୀ, ୧ ଜାରୁଆରୀରୁ ବର୍ତ୍ତମାନ ମଧ୍ୟରେ ଆମାଜନର ଫାଉଣ୍ଡର ଜେଫ ବେଜୋସ ୨୦୨୨ରେ ୨୨.୮ ବିଲିୟନ ଡଲାର ହରାଇଛନ୍ତି । ବେଜୋସଙ୍କ ସମ୍ପତ୍ତି ହ୍ରାସ ପାଇ ୧୬୯ ଅରବ ଡଲାର ହୋଇଛି । ଫେସବୁକ ଫାଉଣ୍ଡର ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ଏହି ସମୟ ମଧ୍ୟରେ ୧୦ ଅରବ ଡଲାର କମିଛି । ଏବେ ତାଙ୍କ ମୋଟ ସମ୍ପତ୍ତି ୧୧୫ ଅରବ ଡଲାର ହୋଇଛି । ସେହିପରି, ମାଇକ୍ରୋସପ୍ଟର କୋ ଫାଉଣ୍ଟର ବିଲ ଗେଟ୍ସଙ୍କୁ ପ୍ରାୟ ୧୦.୫ ଅରବ ଡଲାର କ୍ଷତି ହୋଇଛି । ଫଳରେ ତାଙ୍କର ମୋଟ ସମ୍ପତ୍ତି ୧୨୮ ଅରବ ଡଲାରରେ ପହଞ୍ଚିଛି । ଗୁଗଲ କୋ ଫାଉଣ୍ଡର ଲାରୀ ପେଜଙ୍କ ସମ୍ପତ୍ତି ୧୧.୬ ବିଲିୟନ ଡଲାର ହ୍ରାସ ପାଇ ୧୧୭ ବିଲିୟନ ଡଲାରରେ ପହଞ୍ଚିଛି । ଏସବୁକୁ ଦେଖି ସ୍ପଷ୍ଟ ହୋଇଛି, ଚଳିତ ବର୍ଷ ପ୍ରାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ବୈଷୟିକ କ୍ଷେତ୍ରର ପାଞ୍ଚଟି ସବୁଠାରୁ ଧନ କୁବେରଙ୍କ ସମ୍ପତ୍ତି ୮୫.୧ ଅରବ ଡଲାର କ୍ଷତି ସହିଛି ।