ମୁମ୍ବାଇସ୍ଥିତ ଅମ୍ବାନୀ ପରିବାରର ବାସଭବନ ‘ଆଣ୍ଟିଲିଆ’ରେ ଧୁମଧାମରେ ଗଣେଶୋତ୍ସବ ପାଳିତ ହୋଇଛି। ଏହି ଉତ୍ସବରେ ବଲିଉଡ୍ ସେଲିବ୍ରିଟି, ରାଜନେତାଙ୍କ ସମେତ ବହୁ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଓ କଥାବାଚକ ସାମିଲ ହୋଇଥିଲେ।
ତେବେ ପ୍ରସିଦ୍ଧ କଥାବାଚିକା ଜୟା କିଶୋରୀ ଏବଂ ବାଗେଶ୍ୱର ଧାମର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଉପସ୍ଥିତି ବିଶେଷ ଚର୍ଚ୍ଚାରେ ରହିଛି। ଜୟା କିଶୋରୀ ପାରମ୍ପରିକ ପୋଷାକରେ ଆଣ୍ଟିଲିଆରେ ପହଞ୍ଚି ଗଣପତି ବାପ୍ପାଙ୍କ ଦର୍ଶନ କରିଥିଲେ। ସେହିପରି ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ପାରମ୍ପରିକ ବେଶଭୂଷାରେ ଉତ୍ସବରେ ଯୋଗ ଦେଇଥିଲେ। ତାଙ୍କ ପାରମ୍ପରିକ ବେଶ ଓ ସୁନାର କଠଉକୁ ନେଇ ଭାଇରାଲ୍ ଭିଡିଓରେ ଚର୍ଚ୍ଚା ହେଉଛି।
ଏହାସହ ଯୋଗଗୁରୁ ରାମଦେବ ଓ ତାଙ୍କ ଶିଷ୍ୟମାନେ ମଧ୍ୟ ଅମ୍ବାନୀ ପରିବାରର ନିମନ୍ତ୍ରଣରେ ଉତ୍ସବରେ ସାମିଲ ହୋଇଥିଲେ। ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କ ସମେତ ଅନେକ ତାରକା ମଧ୍ୟ ଗଣେଶ ପୂଜାରେ ଯୋଗ ଦେଇଥିଲେ।
ମୁକେଶ ଓ ନୀତା ଅମ୍ବାନୀ ପ୍ରତିବର୍ଷ ଆଣ୍ଟିଲିଆରେ ଗଣପତି ବାପ୍ପାଙ୍କ ପୂଜା କରିଥାନ୍ତି। ଏହି ଅବସରରେ ସାଧୁ, ସନ୍ଥ, କଥାବାଚକ ଓ ଧାର୍ମିକ ଗୁରୁଙ୍କୁ ଆମନ୍ତ୍ରଣ କରିବା ଅମ୍ବାନୀ ପରିବାରର ପରମ୍ପରା ଭାବେ ଜାରି ରହିଛି।