(ରିପୋର୍ଟରସ ଟୁଡେ): ଫୁଲବାଣୀରେ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ ଓ ଲୁଟ୍ ଘଟଣାରେ ଚକାପାଦ ପୁଲିସ୍ ଅର୍ଚାଙ୍ଗି ଗାଁରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସୁଦାମ ନାୟକ ଓ ରଞ୍ଜନ କହଁର। ଅନ୍ୟ ଦୁଇ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ଅଛନ୍ତି। ସେମାନଙ୍କୁ ଗିରଫ ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।
ଗତକାଲି ଚକାପାଦ ଥାନା ଅଞ୍ଚଳର ଜଣେ ମହିଳା ଫୁଲବାଣୀ ଅଭିମୁଖେ ଚାଲି ଚାଲି ଯାଉଥିଲେ। ସେହି ସମୟରେ ଜଣେ ପରିଚିତ ବ୍ୟକ୍ତିଙ୍କ ସହିତ ୪ ଜଣ ଯୁବକ ଆସି ବାଇକ୍ରେ ଯିବାକୁ ମହିଳାଙ୍କୁ କହିଥିଲେ। ପରିଚିତ ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ମହିଳା ଜଣକ ସେମାନଙ୍କ ସାଥୀରେ ଯାଇଥିଲେ। କିନ୍ତୁ ଜାଣିପାରି ନଥିଲେ ସେମାନଙ୍କ ଫନ୍ଦି। କିଛି ବାଟ ଗଲା ପରେ ସେମାନେ ଟିକାବାଲିଠାରେ ଅଟକିଥିଲେ। ଏପରିକି ସେଠାରେ ମଦ ମଧ୍ୟ ପିଇଥିଲେ। ମଦ ପିଇବା ପରେ ଘରକୁ ନେଇ ଛାଡ଼ିଦେବା ପାଇଁ ମହିଳା ଜଣକ ସେମାନଙ୍କୁ ଅନୁରୋଧ କରିଥିଲେ। କିଛି ବାଟ ଗଲା ପରେ ୪ ଯୁବକ ମହିଳାଙ୍କ ଆଖିରେ କଳାପଟି ଓ ହାତଗୋଡ଼କୁ ଦଉଡ଼ିରେ ବାନ୍ଧି ଦେଇଥିଲେ। ତା’ପରେ ମହିଳାଙ୍କୁ ଏକ ପରିତ୍ୟକ୍ତ ଘର ଭିତରକୁ ଟେକି ନେଇ ୪ ଜଣଙ୍କ ଭିତରେ ଜଣେ ଯୁବକ ଦୁଷ୍କର୍ମ କରିଥିଲା। ମହିଳା ଜଣକ ସଂଜ୍ଞା ହରାଇବାରୁ ଯୁବକମାନେ ତାଙ୍କୁ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ। ଗଲାବେଳେ ମହିଳାଙ୍କ ପାଖରେ ଥିବା ୭୦୦୦ ଟଙ୍କା ମଧ୍ୟ ସେମାନେ ନେଇଯାଇଥିବା ଅଭିଯୋଗ ହୋଇଛି।