ଢେଙ୍କାନାଳ ଜିଲ୍ଲା ବନ ବିଭାଗରେ ଦରମା ଟଙ୍କା ହେରଫେର ଅଭିଯୋଗରେ ଆକ୍ସନ୍ ମୋଡ୍କୁ ଆସିଛି ଭିଜିଲାନ୍ସ। ଦୀର୍ଘ ୧୦ ବର୍ଷ ଧରି ଦରମା ଟଙ୍କାରେ ଅନିୟମିତତା ହୋଇଥିବା ଅଭିଯୋଗରେ ବନ ବିଭାଗର ବରିଷ୍ଠ କିରାଣି ସୁଜିତ କୁମାର ଜେନାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ଅନୁଗୁଳ ଓ ଢେଙ୍କାନାଳ ଭିଜିଲାନ୍ସ ଟିମ୍।
ସୂଚନା ଅନୁସାରେ, ବନ ବିଭାଗର ଦରମା ଟଙ୍କାରେ ବ୍ୟାପକ ଅନିୟମିତତା ହୋଇଥିବା ଅଡିଟ୍ରୁ ଜଣାପଡ଼ିବା ପରେ ଆରମ୍ଭ ହୋଇଥିଲା ତଦନ୍ତ। ଅଭିଯୋଗ ଅନୁଯାୟୀ, ସୁଜିତ କୁମାର ଜେନା ତାଙ୍କ ମା’ ସତ୍ୟଭାମା ଜେନାଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମୋଟ ୬୫ ଲକ୍ଷ ୯୦ ହଜାର ୭୭୩ ଟଙ୍କା ହେରଫେର କରିଛନ୍ତି। ଏହି ମାମଲାରେ ସୁଜିତ କୁମାର ଜେନାଙ୍କ ସମେତ ସୌମ୍ୟ ଓ ରଶ୍ମିରଞ୍ଜନଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ପରେ ତିନି ଜଣଙ୍କର ଡାକ୍ତରୀ ମାଇନା କରାଯାଇଛି।
ତେବେ ଦୀର୍ଘ ୧୦ ବର୍ଷ ଧରି କିପରି ଚାଲିଥିଲା ଏହି ଟଙ୍କା ହେରଫେର? ଏଥିରେ ଆଉ କେଉଁମାନଙ୍କର ରହିଛି ସମ୍ପୃକ୍ତି? ଏହି ଘଟଣାର ପର୍ଦ୍ଦାଫାସ୍ କରିବାକୁ ତଦନ୍ତ ଜାରି ରଖିଛି ଭିଜିଲାନ୍ସ। କେବଳ ଅନିୟମିତତା ନୁହେଁ, ସରକାରୀ ଦରମା ଟଙ୍କାରେ ଏତେ ବଡ଼ ହେରଫେର ପଛରେ ରହିଛି କାହାର ହାତ? ତଦନ୍ତ ଆଗକୁ ବଢ଼ିବା ସହ ସାମ୍ନାକୁ ଆସିପାରେ ଆହୁରି ଅନେକ ତଥ୍ୟ।