ଭାରତ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବା କି ଆମେରିକା। । ଆମେରିକାର ନୂଆ ଆଇନରେ ସ୍ୱାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷଠାରୁ ପାଞ୍ଚଟି ବୃହତ୍ ତୈଳ ଏବଂ ଗ୍ୟାସ ଆମଦାନୀକାରୀଙ୍କ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବା ପାଇଁ ଏକ ବିଲରେ ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଆମେରିକା କଂଗ୍ରେସରେ ଏହା ପାରିତ ହେବାର ଦୁଇ ଦିନ ପରେ ଟ୍ରମ୍ପ ଏହି ବିଲ୍ ଉପରେ ସ୍ୱାକ୍ଷର କରିଛନ୍ତି। ନୂତନ ଆଇନ ରାଷ୍ଟ୍ରପତିଙ୍କୁ ରୁଷିଆରୁ ଆମଦାନୀ ହେଉଥିବା ତେଲ ଏବଂ ଗ୍ୟାସର ପାଞ୍ଚଟି ସର୍ବବୃହତ କ୍ରେତାଙ୍କ ଆମଦାନୀ ଉପରେ 100 ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଅଧିକାର ପ୍ରଦାନ କରିଛି। ଯେଉଁଥିରେ ବର୍ତ୍ତମାନ ଭାରତ ଅନ୍ତର୍ଭୁକ୍ତ।

ଏହି ବିଲ୍ ଆଣିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ରୁଷର ତୈଳ ଓ ଗ୍ୟାସ୍ ରପ୍ତାନୀ ଆୟକୁ ଦୁର୍ବଳ କରିବା ଏବଂ ୪ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ୟୁକ୍ରେନ୍ ଯୁଦ୍ଧର ଅନ୍ତ ପାଇଁ ଆଲୋଚନା କରିବା ପାଇଁ ମସ୍କୋ ଉପରେ ଚାପ ପକାଇବା। ଯଦିଓ ଏହି ଆଇନ ସିଧାସଳଖ କୌଣସି ଦେଶକୁ ଟାର୍ଗେଟ କରାଯାଇନାହିଁ। ତଥାପି ରୁଷରୁ ସର୍ବାଧିକ ଅଶୋଧିତ ତୈଳ ଏବଂ ଗ୍ୟାସ ଆମଦାନୀ କରିଥିବା ପାଞ୍ଚଟି ଦେଶ ଉପରେ ଲାଗିପାରେ କଟକଣା। ଏହି ଦେଶଗୁଡ଼ିକର ତାଲିକା ପ୍ରତି ୧୮୦ ଦିନରେ ସମୀକ୍ଷା କରାଯିବ। ଶୁଳ୍କ ହାର ରାଷ୍ଟ୍ରପତିଙ୍କ ଅଧୀନରେ ରହିବ।