ଶ୍ରୀ ଜଗନ୍ନାଥ ସେବା ରତ୍ନ ସମ୍ମାନ ପାଇଲେ ଡଃ ସତ୍ୟଜିତ ନାୟକ

ରଥଯାତ୍ରାର ସଫଳ ଆୟୋଜନ ପାଇଁ ନିଷ୍ଠା, ଜନସେବା ଓ ସମନ୍ୱିତ ପ୍ରୟାସର ଗୁରୁତ୍ୱ ଉପରେ ଜୋର ଦେଇଛନ୍ତି ସେଣ୍ଟ୍ରାଲ ରେଞ୍ଜ ଆଇଜି ଡଃ ସତ୍ୟଜିତ ନାୟକ, ଆଇପିଏସ୍। ‘ଶ୍ରୀ ଜଗନ୍ନାଥ ସେବା ରତ୍ନ ସମ୍ମାନ–୨୦୨୬’ରେ ସମ୍ମାନିତ ହୋଇ ଡଃ ନାୟକ କହିଛନ୍ତି, ଏହି ସମ୍ମାନ କେବଳ ତାଙ୍କର ବ୍ୟକ୍ତିଗତ ସ୍ୱୀକୃତି ନୁହେଁ, ବରଂ ରଥଯାତ୍ରା ସମୟରେ କର୍ତ୍ତବ୍ୟ ତୁଲାଇଥିବା ପ୍ରତ୍ୟେକ ପୋଲିସ କର୍ମଚାରୀ, ସ୍ୱେଚ୍ଛାସେବୀ ଓ ସମସ୍ତ ସହଯୋଗୀଙ୍କ ସମ୍ମାନ।

ରଥଯାତ୍ରା କେବଳ ଧାର୍ମିକ ଉତ୍ସବ ନୁହେଁ, ଏହା ଓଡ଼ିଶାବାସୀଙ୍କ ଆସ୍ଥା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବୋଲି ସେ କହିଛନ୍ତି। ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଓ ଜରୁରୀକାଳୀନ ଯାତାୟାତକୁ ସୁଗମ କରିବା ପୋଲିସର ପ୍ରମୁଖ ଦାୟିତ୍ୱ ଥିଲା।

ଓଡ଼ିଶା ପୋଲିସ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ସ୍ୱେଚ୍ଛାସେବୀ, ବିଭିନ୍ନ ସରକାରୀ ବିଭାଗ ଓ ସାଧାରଣ ଲୋକଙ୍କ ସମନ୍ୱିତ ପ୍ରୟାସ ଯୋଗୁଁ ରଥଯାତ୍ରା ସଫଳ ହୋଇଥିବା ସେ କହିଛନ୍ତି।

ତୀବ୍ର ଗରମ, ବର୍ଷା ଓ ପ୍ରବଳ ଭିଡ଼ ମଧ୍ୟରେ ପରିବାରଠାରୁ ଦୂରେ ରହି ଡ୍ୟୁଟି କରିଥିବା ପୋଲିସ କର୍ମଚାରୀଙ୍କ ଅବଦାନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଭକ୍ତମାନେ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରି ଘରକୁ ଫେରିବା ହିଁ ପୋଲିସର ପ୍ରଥମ ଦାୟିତ୍ୱ ବୋଲି ଡଃ ନାୟକ କହିଛନ୍ତି।

ଏହି ସମ୍ମାନ ତାଙ୍କ ଦାୟିତ୍ୱକୁ ଆହୁରି ବଢ଼ାଇଛି ବୋଲି କହିବା ସହ ‘ସେବା ହିଁ ପ୍ରକୃତ ସମ୍ମାନ ଏବଂ ଜନସାଧାରଣଙ୍କ ବିଶ୍ୱାସ ହିଁ ପୋଲିସର ସବୁଠାରୁ ବଡ଼ ସମ୍ପଦ’ ବୋଲି ଡଃ ନାୟକ କହିଛନ୍ତି।