ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ। ମମତା ବାନାର୍ଜୀଙ୍କୁ ପୁଣି ମିଳିଛି ଝଟକା। ନନ୍ଦିଗ୍ରାମ ପରେ ମମତାଙ୍କ ଟିଏମସିର ପ୍ରାର୍ଥୀ ରେଜିନଗର ଉପ ନିର୍ବାଚନ ରେସରୁ ଓହରି ଯାଇଛନ୍ତି।ଉପ ନିର୍ବାଚନ ଆସନ୍ତା ଅକ୍ଟୋବର ୬ରେ ଥିବା ବେଳେ ମମତାଙ୍କ ଟିଏମସି ଦଳ ରବିବୁଲ ଆଲାମ ଚୌଧୁରୀଙ୍କୁ ରେଜିନଗର ପାଇଁ ପ୍ରାର୍ଥୀ କରିଥିଲା। ହେଲେ ସେ ନିଜର ନାମାଙ୍କନ ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି।ଦିନକ ତଳେ ମମତାଙ୍କ ଟିଏମସି ଦଳ ନନ୍ଦିଗ୍ରାମ ପାଇଁ ଟିକେଟ ଦେଇଥିବା ସଞ୍ଚିତା ପ୍ରଧାନ ଦେ ମଧ୍ୟ ସମାନ ପଦକ୍ଷେପ ନେଇଥିଲେ। ସେ ନିଜର ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ।ମମତାଙ୍କ ଦଳ ତାଙ୍କୁ ନନ୍ଦିଗ୍ରାମ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲେ ହେଁ ସେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଥିଲେ। ଏହାପରେ ସେ ଉପ ନିର୍ବାଚନ ରେସ୍ରୁ ଓହରି ଯାଇଥିଲେ। ଏହାକୁ ନେଇ ହଟଚମଟ ଜାରି ରହିଥିବା ବେଳେ ଏବେ ରେଜିନଗରରେ ମଧ୍ୟ ମମତାଙ୍କୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି।

ରେଜିନଗର ଉପ ନିର୍ବାଚନ ରେସ୍ରୁ ଓହରି ଯାଇଥିବା ଚୌଧୁରୀଙ୍କ କହିବା କଥା ଯେ ମମତା ବାନାର୍ଜୀଙ୍କ ସହ ବିଚାର ବିମର୍ଶ କରିବା ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, “ପ୍ରଥମତଃ ଆମକୁ ନୂଆ ଦଳୀୟ ଚିହ୍ନରେ ଲଢ଼ିବାକୁ ପଡ଼ିବ। ଆମ କର୍ମୀମାନଙ୍କୁ ମଧ୍ୟ ହଇରାଣ, ଭୟଭୀତ ଓ ଆକ୍ରମଣ କରାଯାଉଛି। ଆମେ ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛୁ। ଆମେ ଏପରି ଏକ ସ୍ଥିତିରେ କେମିତି ନିର୍ବାଚନ ଲଢ଼ିବୁ? ଏଥିପାଇଁ ମୁଁ ନାମାଙ୍କନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି। ମୁଁ ମମତା ବାନାର୍ଜୀଙ୍କ ସହ ଏ ସମ୍ପର୍କରେ କଥା ହୋଇଛି। ସେ ମୋତେ ଯାହା ସବୁଠାରୁ ଭଲ ସେଇଆ କରିବାକୁ କହିଛନ୍ତି।”