ପୋଲିସ ଗୁଳିରେ ଟଳିଲା ନକ୍ସଲ କମାଣ୍ଡର ଗଞ୍ଝୁ…

ନକ୍ସଲ କମାଣ୍ଡରକୁ ଏନକାଉଣ୍ଟର। ବାରଣାସୀରେ ଉତ୍ତରପ୍ରଦେଶ ATSର ଏନକାଉଣ୍ଟରରେ କୁଖ୍ୟାତ ନକ୍ସଲ କମାଣ୍ଡର ବ୍ରିଜେଶ ଗଞ୍ଝୁ ନିହତ ହୋଇଛି। ତା’ ମୁଣ୍ଡ ଉପରେ ୩୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା। ଝାଡ଼ଖଣ୍ଡର ନିଷିଦ୍ଧ ସଂଗଠନ ‘ତୃତୀୟ ପ୍ରସ୍ତୁତି କମିଟି’ର ସେ ମୁଖ୍ୟ ଥିବା ଜଣାପଡ଼ିଛି। ଏକାଧିକ ମାମଲାରେ NIA ତାଙ୍କୁ ‘ୱାଣ୍ଟେଡ୍’ ଘୋଷଣା କରିଥିଲା। ଏନକାଉଣ୍ଟରର ବିବରଣୀ ଦେଇ ଏଟିଏସ୍ ଡିଏସପି ବିପିନ ରାୟ କହିଛନ୍ତି, ଗଞ୍ଝୁ ଜଣେ ସାଥୀଙ୍କ ସହିତ ବାରାଣସୀର ରାମନଗର ଥାନା ଅଞ୍ଚଳର ଲଙ୍କା ମଇଦାନର ଟେଙ୍ଗରା ମୋଡ଼ରୁ ରାମନଗର ଦେଇ ମୁଗଲସରାଇ ଅଭିମୁଖେ ଏକ ମୋଟରସାଇକେଲରେ ଯାଉଥିବା ସୂଚନା ମିଳିଥିଲା।  ପରେ ପୋଲିସ ସେହି ଅଞ୍ଚଳରେ ନାକା ବନ୍ଦ କରିଥିଲା।

ଗଞ୍ଝୁ  ଧରାପଡ଼ିବା ଭୟରେ ସେ ତାର ପିସ୍ତଲରୁ ପୋଲିସ ଉପରକୁ ଗୁଳି ଚଳାଇଥିଲା।  ଏହି ସମୟରେ ଡିଏସପି ଏବଂ ହେଡ୍ କନଷ୍ଟେବଳ ନୀତିନ କୃଷ୍ଣଙ୍କ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଉପରେ ଗୁଳି ବାଜିଥିଲା।ଏହା ପରେ ପୁଲିସ ପକ୍ଷରୁ ଜୋରଦାର ପାଲଟା ଜବାବ ଦିଆ ଯାଇଥିଲା। ବ୍ରିଜେଶଙ୍କ ଦେହରେ ଗୁଳି ବାଜିଥିଲା, ସେ ତଳେ ପଡ଼ି ଯାଇଥିଲେ।  ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ହେଲେ ତାଙ୍କ ସହଯୋଗୀ  ଘଟଣାସ୍ଥଳରୁ ଖସି ପଳାଇଥିଲେ। ବ୍ରିଜେଶ ଗଞ୍ଜୁ ଝାଡ଼ଖଣ୍ଡର ଚତରା ଜିଲ୍ଲାର ଲାୱାଲାଉଙ୍ଗ ଥାନା ଅଞ୍ଚଳର ବାସିନ୍ଦା ଥିଲେ। ସେ ପରିବହନକାରୀ, କୋଇଲା ଖଣି କମ୍ପାନି ଏବଂ ଠିକାଦାରଙ୍କଠାରୁ ଟଙ୍କା ଆଦାୟ କରୁଥିଲେ।