ହିଞ୍ଜିଳିକାଟୁ ବ୍ଲକ୍ ପରିସରରେ ପଞ୍ଚାୟତ ସମିତିର ସାଧାରଣ ବୈଠକ ବ୍ଲକ୍ ଅଧ୍ୟକ୍ଷା ସରସ୍ୱତୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଶ୍ରୀ ସାଗରିକା ଷଡ଼ଙ୍ଗୀ ଉପସ୍ଥିତ ଅତିଥି ଓ ଅଧିକାରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଏହି ବୈଠକ କୁ ପରିଚାଳନା କରିଥିଲେ।ବୈଠକରେ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ,ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ର, ବ୍ଲକ୍ ଉପାଧ୍ୟକ୍ଷ ସୁନୀଲ ଗନ୍ତାୟତ,ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର,ବ୍ଲକ୍ ପ୍ରତିନିଧି ଏ.ସୁଦର୍ଶନ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ,ଜନପ୍ରତିନିଧି ଓ ପଞ୍ଚାୟତ ସମିତି ସଦସ୍ୟମାନେ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟତଃ କୃଷି ଓ ଚାଷୀଙ୍କ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।କୃଷକମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ଅବଗତ କରାଯିବା ସହ ଏହାର ଲାଭ ଯେପରି ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସହଜରେ ପହଞ୍ଚିପାରିବ,ସେଥିପାଇଁ ଗୁରୁତ୍ୱ ଦିଆଯାଇଥିଲା।ହିଞ୍ଜିଳିକାଟୁ ବ୍ଲକ୍ ଅଞ୍ଚଳରେ ଚାଷୀଙ୍କ ସୁବିଧା ପାଇଁ କୋଲ୍ଡ ଷ୍ଟୋରେଜ୍ ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।ଚାଷୀମାନେ ନିଜ ଉତ୍ପାଦ ସଂରକ୍ଷଣ କରିବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି,ସେନେଇ ଆଲୋଚନା ହୋଇଥିଲା।ଏଥିସହ ବିଭିନ୍ନ ପଞ୍ଚାୟତରେ କୃଷକମାନଙ୍କ ସମସ୍ୟା ଓ କୃଷି ସମ୍ବନ୍ଧୀୟ ଯୋଜନାର କାର୍ଯ୍ୟକାରିତା ନେଇ ମଧ୍ୟ ମତାମତ ଗ୍ରହଣ କରାଯାଇଥିଲା।