( ଭୁବନେଶ୍ୱର) : ସ୍ୱାମୀ ସାଜିଲା ସୈତାନ । କିଛି ଟଙ୍କା ପାଇଁ ନିଜ ସ୍ତ୍ରୀ କୁ ହତ୍ୟା କରିବାକୁ ପଛାଇଲା ନାହିଁ । ଏଭଳି ଅଭାବନୀୟ ଘଟଣା ଘଟିଛି ଏୟାରଫିଲ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ।
ସୂଚନାଯୋଗ୍ୟ ଗତ ୨୦୧୭ ମସିହା ଡିସେମ୍ବର ମାସ ୧୭ ତାରିଖ ଦିନ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବଙ୍ଗାଳି କଲୋନୀ ର ଶିଳ୍ପୀ ଦାସ ଭୀମଟାଙ୍ଗିରେ ବିବାହ କରିଥିଲେ । ଶିଳ୍ପୀଙ୍କ ସ୍ୱାମୀ ଜଣେ ଇଭେଣ୍ଟ କମ୍ପାନୀ ମ୍ୟାନେଜର ଭାବେ କାର୍ୟ୍ୟ କରୁଥିଲେ । ବିବାହର ଦୁଇ ମାସ ପର୍ୟ୍ୟନ୍ତ ଉଭୟ ଙ୍କ ମଧ୍ୟରେ ସମ୍ପର୍କ ଠିକ ଥିଲା । କିନ୍ତୁ ଏହା ପରେ ଯୌତୁକ କୁ ନେଇ ଦୁହିଁ ଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଶାଶୁ ଓ ସ୍ୱାମୀ ଦୁହେଁ ମିଶି ଶିଳ୍ପୀଙ୍କୁ ମାନସିକ ଓ ଶାରୀରିକ ନିର୍ୟ୍ୟାତନା ଦେଉଥିଲେ । ଏପରିକି ଟଙ୍କା ନଦେଲେ ଗର୍ଭପାତ କରାଇବା ପାଇଁ ଧମକ ଦେଉଥିଲେ ।
ଗତକାଲି ରାତିରେ ଦୁଇ ପକ୍ଷ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିଲା । ଏକ ସପ୍ତାହ ମଧ୍ୟରେ ଯୌତୁକ ଟଙ୍କା ନଦେଲେ ବିବାହ ବିଚ୍ଛେଦ ପାଇଁ ପରିବାର ଲୋକେ ଧମକ ଦେବା ପରେ ତାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ମିଶି ହତ୍ୟା କରିଥିଲେ । ପଡୋଶୀ ମାନେ ଏ ନେଇ ଖବର ପାଇବା ପରେ ଘର କବାଟ ଭାଙ୍ଗି ପୋଲିସକୁ ଖବର ଦେଇଥିଲେ । ଏହି ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଛି ଏୟାରଫିଲ ଥାନା ପୋଲିସ ।