ମାଲକାନଗିରି: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ । ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା ରାଲି କରାଯାଉଥିବା ବେଳେ ଦୁର୍ନୀତି ନକରିବା ପାଇଁ ସରକାରି କର୍ମଚାରୀ ମାନେ ଶପଥ ନେଉଛନ୍ତି । ଏହାରି ଭିତରେ ମାଲକାନଗିରି ଜିଲ୍ଲା ମୋଟୁ ତହସିଲର ମୋଟୁ ସର୍କଲର ରାଜସ୍ୱ ନିରୀକ୍ଷକ ସୂରଜଚନ୍ଦ୍ର ବଳଙ୍କୁ ଧରିଛି ଭିଜିଲାନ୍ସ ।
ସୂଚନା ଅନୁଯାୟୀ, ଏକ ଜବରଦଖଲ ମାମଲାରେ ନୋଟିସ୍ ଜାରି କରିବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୂରଜଚନ୍ଦ୍ର ବଳ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏହା ପରେ ଭିଜିଲାନ୍ସ ପକ୍ଷରୁ ଆରଆଇ ସୂରଜଚନ୍ଦ୍ର ବଳଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଛି।