(ରିପୋର୍ଟସ ଟୁଡ଼େ): ଆର ପାରିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା । ଆଉ ଶୁଣିବାକୁ ମିଳିବନି ତାଙ୍କ କଣ୍ଠସ୍ୱର । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।
ସେ କିଛିଦିନ ହେଲା ଅସୁସ୍ଥ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ସେ ପ୍ରାଣତ୍ୟାଗ କରିଛନ୍ତି । ଓଡିଆ ଚଳଚ୍ଚିତ୍ରରେ ଅନେକ ଲୋକପ୍ରିୟ ଗୀତ ଗାଇ ସେ ଦର୍ଶକଙ୍କ ପ୍ରିୟ ହୋଇଥିଲେ । ରୂପ ହୋଇଥିବ ଲବଣ୍ୟବତୀ, ଉଡିଗଲା ଗେଣ୍ଡାଳିଆ, ମୋ ପ୍ରିୟା ଠାରୁ କେହି ଅଧିକ ସୁନ୍ଦରୀ ଭଳି ୧୦୦ରୁ ଅଧିକ ହିଟ ସଙ୍ଗୀତ ସେ ଓଡିଆ ଟେଲିଭିଜନ ଜଗତକୁ ଦେଇଛନ୍ତି । ଏହା ସହ ସେ ଅନେକ ଭଜନ ମଧ୍ୟ ଗାଇଛନ୍ତି ।
ଚିତ୍ତ ଜେନା ୧୯୪୧ ମସିହା ଡିସେମ୍ବର ୨୪ ଦିନ କଟକ ଜିଲ୍ଲା ପୋପରଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୬୮ରେ ନିର୍ମିତ ଚଳଚ୍ଚିତ୍ର ମନ ଆକାଶରେ ଉପେନ୍ଦ୍ର କୁମାର ତାଙ୍କୁ ପ୍ରଥମେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରର ଗୀତ “ଏ ବନ ଝରଣା ନାଚି ନାଚି ଯାଅନା”, ପ୍ରଶାନ୍ତ ନନ୍ଦଙ୍କ ପାଇଁ ଗାଇ ସେ ଲୋକପ୍ରିୟ ହୋଇ ପାରିଥିଲେ । ଏହି ଗୀତଦ୍ଵାରା ତାଙ୍କ ପ୍ରଚ୍ଛଦପଟ୍ଟ ଗାୟକ ଜୀବନର ମୂଳଦୁଆ ପଡିଥିଲା । ଏହା ସହ ସେ ୨୦୧୦ରେ ପ୍ରଫୁଲ୍ଲ କର ସମ୍ମାନ, ୨୦୧୧ରେ ଜୀବନ ବ୍ୟାପି ସାଧନା ନିମନ୍ତେ ସମ୍ମାନରେ ସମ୍ମାନିତ ହୋଇଥିଲେ ।