(ରିପୋର୍ଟସ ଟୁଡେ): ରାଜ୍ୟବ୍ୟାପୀ ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନରେ ଏବେ ରାଜନୈତିକ ଗନ୍ଧ ଆସିଲାଣି । ଆନ୍ଦୋଳନରୁ ନିବୃତ୍ତ ରହି ବିଜେଡ଼ି ସାମ୍ମୁଖ୍ୟ ଆଇନଜୀବୀ ସଦସ୍ୟମାନେ ଆଜି କାର୍ୟ୍ୟରେ ଯୋଗ ଦେଇଥିବାବେଳେ ହାଇକୋର୍ଟ ବାରଆସୋସିସନ୍ର ଅନ୍ୟ ଏକ ଗୋଷ୍ଠୀ ଏହାକୁ ତୀବ୍ର ବିରୋଧ କରିଛି । ପୂର୍ବରୁ ଲଢ଼େଇ ପୋଲିସ-ଓକିଲଙ୍କ ମଧ୍ୟରେ ଥିବାବେଳେ ଏବେ ତାହା ଓକିଲ-ଓକିଲ ବିବାଦରେ ରୂପାନ୍ତରିତ ହୋଇଛି । ତେବେ ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଗଲାଣି । ବିରୋଧୀଦଳଗୁଡ଼ିକ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଓକିଲଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ସବୁକିଛି ସୀମା ଟପିଲାଣି ବୋଲି ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆନ୍ଦୋଳନରେ ବିଜେଡ଼ି ପିକ୍ଚର୍ ଦେଖାଯାଉଛି ବୋଲି କହିଛନ୍ତି ।