ପ୍ଲେନ୍ କ୍ରାସ୍: ଆଉ ନାହାନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର

ମହାରାଷ୍ଟ୍ର: ମହାରାଷ୍ଟ୍ରର ରାଜନୀତିରେ ଶୋକର ଛାୟା। ବରିଷ୍ଠ ରାଜନେତା, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଏହି ଦୁଃଖଦ ଖବରକୁ ନିଶ୍ଚିତ କରିଛି। ବୁଧବାର ସକାଳ ପ୍ରାୟ ୮.୪୫ଟା ସମୟରେ ମହାରାଷ୍ଟ୍ରର ବାରାମତି ନିକଟରେ ଏହି ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା। ଅଜିତ ପାୱାର ଏକ ସାଧାରଣ ସଭା ଏବଂ ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାରରେ ଯୋଗ ଦେବା ପାଇଁ ବାରାମତି ଯାଉଥିବା ବେଳେ, ଲ୍ୟାଣ୍ଡିଂ ସମୟରେ ବିମାନଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ବିମାନରେ ଅଜିତ ପାୱାରଙ୍କ ସହିତ ତାଙ୍କ ସୁରକ୍ଷା କର୍ମୀ ଓ ସହାୟକମାନେ ମିଶି ମୋଟ ଛଅ ଜଣ ଥିଲେ। ଏହି ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କମ୍ ଦୃଶ୍ୟମାନତା ଏବଂ ପାଣିପାଗ ପରିସ୍ଥିତି ଦୁର୍ଘଟଣାର କାରଣ ହୋଇଥିବା ଆଶଙ୍କା କରାଯାଉଛି। ଅଜିତ ପାୱାର ତାଙ୍କ କାକା ଶରଦ ପାୱାରଙ୍କ ନେତୃତ୍ୱରେ ରାଜନୀତିରେ ପ୍ରବେଶ କରିଥିଲେ। ଗତ ଚାରି ଦଶନ୍ଧି ଧରି ସେ ମହାରାଷ୍ଟ୍ର ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ ଥିଲେ। ସେ ସାତ ଥର ବାରାମତି ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ ଏବଂ ରାଜ୍ୟର ଅଷ୍ଟମ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିଭାଇଥିଲେ। ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ମହାରାଷ୍ଟ୍ର ସହ ସମଗ୍ର ଦେଶର ରାଜନୈତିକ ମହଳରେ ଶୋକ ପ୍ରକାଶ ପାଇଛି।