ବାପାକୁ ମାରିବା ପାଇଁ ପୁଅ ଦେଇଥିଲା ସୁପାରୀ

ବାପାକୁ ମାରିବା ପାଇଁ ପୁଅ ରଚିଥିଲା ଷଡ଼ଯନ୍ତ୍ର। ଦେଇଥିଲା  ୬ ଲକ୍ଷର ସୁପାରୀ।  ହେଲେ ନିଜ ସ୍ତ୍ରୀକୁ ଭସାଇବାକୁ କରିଥିଲା ଯୋଜନା। କାନପୁର ବ୍ୟବସାୟୀ ବିନୀତ ମିନୋଚା ହତ୍ୟା ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ।  ଯେଉଁ ହତ୍ୟା ମାମଲାରେ ପୂର୍ବରୁ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ସନ୍ଦେହ ଥିଲା, ଏବେ ତଦନ୍ତରେ ପୁଅ ସୁବ୍ରତ ମିନୋଚାଙ୍କ ନାଁ ସାମ୍ନାକୁ ଆସିଛି। ପୋଲିସର ସୂଚନା ଅନୁସାରେ, ସୁବ୍ରତ ନିଜ ବାପାଙ୍କୁ ହତ୍ୟା କରିବା ପାଇଁ ପୂର୍ବତନ କର୍ମଚାରୀ ବିଶାଲ ଗୌତମଙ୍କୁ ସୁପାରି ଦେଇଥିଲେ। ଏହି ଡିଲ୍ ପାଇଁ ପ୍ରାୟ ୬ ଲକ୍ଷ ଟଙ୍କା ସୁପାରି ଦିଆଯାଇଥିଲା।   ହତ୍ୟା ପରେ ଯଦି ବିଶାଲ ଧରାପଡ଼ନ୍ତି, ତେବେ ସୁବ୍ରତଙ୍କ ସ୍ତ୍ରୀ ଶାଲୁଙ୍କ ନାଁ ନେବାକୁ କୁହାଯାଇଥିଲା ବୋଲି ବିଶାଲ ପୋଲିସକୁ କହିଥିବା ଜଣାପଡ଼ିଛି। ପୂର୍ବରୁ ଏହି ମାମଲାରେ ଶାଲୁଙ୍କ ଉପରେ ମଧ୍ୟ ସନ୍ଦେହ ରହିଥିଲା।

ପୋଲିସ ଏବେ ସୁବ୍ରତ ଓ ବିଶାଲଙ୍କ ବୟାନକୁ ଫୋନ୍ କଲ୍ ଡିଟେଲ୍, CCTV ଫୁଟେଜ୍ ଓ ଅନ୍ୟ ପ୍ରମାଣ ସହ ଯାଞ୍ଚ କରିଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୫ ତାରିଖ ରାତିରେ କାନପୁର ସ୍ଥିତ ନିଜ ଘରେ ବିନୀତ ମିନୋଚାଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଭିଯୋଗ ଅନୁସାରେ, ତାଙ୍କୁ ଛୁରିରେ ୨୬ ଥର ଆକ୍ରମଣ କରାଯାଇଥିଲା। ତଦନ୍ତ ସମୟରେ ପୋଲିସ ସୁବ୍ରତ ଓ ବିଶାଲଙ୍କ ମଧ୍ୟରେ ହୋଇଥିବା ପ୍ରାୟ ୨୫୮ଟି ଫୋନ୍ କଲ୍ର ଯାଞ୍ଚ କରିଛି। ପୋଲିସ କହିଛି, ହତ୍ୟା ପୂର୍ବରୁ ବିଶାଲ ଏକ ନୂଆ ସିମ୍ କାର୍ଡ ନେଇଥିଲେ ଏବଂ ସେହି ନମ୍ବରରୁ କେବଳ ସୁବ୍ରତଙ୍କୁ ଫୋନ୍ କରାଯାଇଥିଲା। ପୋଲିସ ଏବେ ହତ୍ୟା ପଛରେ ଥିବା କାରଣ ଖୋଜୁଛି। ବାପା-ପୁଅଙ୍କ ମଧ୍ୟରେ ଆର୍ଥିକ ବିବାଦ, ଋଣ କିମ୍ବା ସମ୍ପତ୍ତିକୁ ନେଇ ମତଭେଦ ଥିଲା କି ନାହିଁ, ସେହି ଦିଗରେ ମଧ୍ୟ ତଦନ୍ତ ଚାଲିଛି।