ହର୍ମୁଜ୍ ଖୋଲିବାକୁ ଇରାନର ୭ ସର୍ତ୍ତ

ଲାଗି ରହିଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ତୁଟିବାର ନାଁ ଧରୁନି। ଫଳରେ ବିଶ୍ୱ ଆର୍ଥିକ ସଙ୍କଟରେ ସମ୍ମୁଖୀନ ହେଉଛି। ଏହାରି ଭିତରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଶାନ୍ତି ଆଲୋଚନା ପାଇଁ ଆମେରିକା ଆଗରେ ୭ଟି ନୂଆ ସର୍ତ୍ତ ରଖିଛି  ଇରାନ୍। ଗୁରୁବାର ନ୍ୟୁୟର୍କରେ ଅନୁଷ୍ଠିତ ମିଳିତ ଜାତିସଂଘ ସାଧାରଣ ସଭା ଅବସରରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଏହି ସୂଚନା ଦେଇଛନ୍ତି ।ମଧ୍ୟସ୍ଥମାନଙ୍କ ଜରିଆରେ ହ୍ୱାଇଟ୍ ହାଉସକୁ ପଠାଯାଇଥିବା ଏହି ଯୋଜନାରେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ ହେଲେ, ମାତ୍ର ସପ୍ତାହକ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳ ସ୍ୱାଭାବିକ କରାଯିବ ଏବଂ ଦୁଇ ଦେଶ ମଧ୍ୟରେ ଅନ୍ତିମ ଚୁକ୍ତି ପାଇଁ ଆଲୋଚନା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ଇରାନର ଏହି ପ୍ରସ୍ତାବ ପରେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ମୂଲ୍ୟ ବ୍ୟାରେଲ୍ ପିଛା ୧୦୮ ଡଲାରରୁ ହ୍ରାସ ପାଇ ୧୦୫.୬୯ ଡଲାରରେ ପହଞ୍ଚିଛି । ଇରାନ୍ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରସ୍ତାବ ଗତ ଜୁନ୍ ମାସରେ ଆମେରିକା ଓ ଇରାନ୍ ମଧ୍ୟରେ ହୋଇଥିବା ବୁଝାମଣାପତ୍ର (ଏମ୍ଓୟୁ) ଉପରେ ଆଧାରିତ । ତେବେ ଜୁଲାଇ ପ୍ରାରମ୍ଭରେ ଅନଧିକୃତ ଜଳପଥ ବ୍ୟବହାର କରୁଥିବା ଜାହାଜଗୁଡ଼ିକ ଉପରେ ଇରାନ୍ ଗୁଳିଚାଳନା କରିବା ପରେ ଏହି ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା। ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପୁରୁଣା ବୁଝାମଣାକୁ ପ୍ରତ୍ୟାଖ୍ୟାନ କରି ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସାମିଲ କରି ଏକ ବ୍ୟାପକ ଚୁକ୍ତି ପାଇଁ ଜିଦ୍ ଧରିଛନ୍ତି।