ଭାରୋତ୍ତୋଳନରେ ଭାରତକୁ ମିଳିଲା ରୌପ୍ୟ ପଦକ

ଏସିଆନ ଗେମ୍ସର ଚତୁର୍ଥ ଦିନରେ ମଧ୍ୟ ଭାରତୀୟ କ୍ରୀଡ଼ାବିତ୍‌ମାନେ ଜାରି ରଖିଛନ୍ତି ଦମଦାର ପ୍ରଦର୍ଶନ। ଭାରୋତ୍ତୋଳନ, ବନ୍ଧୁକଚାଳନା ଓ ସଫ୍ଟ ଟେନିସ୍‌ ସମେତ ବିଭିନ୍ନ କ୍ରୀଡ଼ାରେ ଭାରତ ପଦକ ହାସଲ କରିଛି। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ମୋଟ ୪ଟି ପଦକ ହାସଲ କରିଥିବା ବେଳେ ସାମଗ୍ରିକ ଭାବେ ପଦକ ସଂଖ୍ୟା ୭ରେ ପହଞ୍ଚିଛି।

ମହିଳା ୪୯ କେଜି ଭାରୋତ୍ତୋଳନରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି ମୀରାବାଇ ଚାନୁ। ଏହା ଏସିଆନ ଗେମ୍ସରେ ମୀରାବାଇଙ୍କ ପ୍ରଥମ ପଦକ। ଏହି ଇଭେଣ୍ଟରେ ଡେମୋକ୍ରାଟିକ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ କୋରିଆର ରି ସୋଙ୍ଗ-ଗୁମ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଏହି ପଦକ ସହ ମୀରାବାଇ ଚାନୁ ଏକ ବିଶେଷ ଉପଲବ୍ଧି ହାସଲ କରିଛନ୍ତି। କର୍ଣ୍ଣମ ମଲ୍ଲେଶ୍ୱରୀଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାରୋତ୍ତୋଳକ ଭାବେ ଅଲିମ୍ପିକ୍ସ, ଏସିଆନ ଗେମ୍ସ, କମନୱେଲଥ୍ ଗେମ୍ସ, ବିଶ୍ୱ ଚାମ୍ପିଅନସିପ୍ ସହ ଏସିଆନ ଓ କମନୱେଲଥ୍ ଚାମ୍ପିଅନସିପ୍‌ରେ ପଦକ ଜିତିବାର ଗୌରବ ହାସଲ କରିଛନ୍ତି।

ଏପଟେ ଏସିଆନ ଗେମ୍ସରେ ଭାରତର ପଦକ ତାଲିକାରେ ରହିଛି ୧ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ। ମୋଟ ୭ଟି ପଦକ ସହ ଭାରତ ପଦକ ତାଲିକାର ଅଷ୍ଟମ ସ୍ଥାନରେ ରହିଛି।