ସିକ୍କିମରେ ବଡ଼ ଧରଣର ଭୂସ୍ଖଳନ; ବୁଡ଼ିଗଲା ଘର, ଭାସିଗଲା ବ୍ରିଜ୍

ଭାରତରେ ନେପାଳ ଭଳି ଜଳ ପ୍ରଳୟ । ସିକ୍କିମରେ ପାହାଡ଼ରୁ ମାଡ଼ିଆସିଲା  କାଦୁଅ ଆବର୍ଜନା ପାଣି। ବୁଡ଼ିଗଲା ଘର, ଭାସିଗଲା ବ୍ରିଜ୍ । ଗ୍ୟାଲସିଙ୍ଗ ଜିଲ୍ଲା ରିମ୍ବିରେ ହୋଇଛି ବଡ଼ ଧରଣର ଭୂସ୍ଖଳନ। ଯାହାଫଳରେ ପାହାଡ଼ ଉପରୁ ପ୍ରଚୁର ପରିମାଣରେ କାଦୁଅ, ପଥର ଏବଂ ଆବର୍ଜନା ତଳକୁ ମାଡ଼ି ଆସିଛି। ଅନେକ ଘର, ସମ୍ପତ୍ତି ମାଟିରେ ମିଶିଯାଇଛି । ସୌଭାଗ୍ୟବଶତଃ ଏପର୍ଯ୍ୟନ୍ତ କୌଣସି ଜୀବନହାନିର ସୂଚନା ମିଳିଥିବାବେଳେ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

 ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଭୂସ୍ଖଳନ ଯୋଗୁ ରିମ୍ବି ନଦୀର ଗତିପଥରେ ପରିବର୍ତ୍ତନ ଆସିଛି । ନଦୀ କୂଳିଆ ରାସ୍ତା ଗୁଡ଼ିକ କ୍ରମାଗତ ଭାବେ ଧସିବାରେ ଲାଗିଛି। ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ସ୍ଥାନୀୟ ଅଞ୍ଚଳରେ ୩୦ ସେମିରୁ ଅଧିକ ବର୍ଷା ରେକର୍ଡ ହୋଇଛି । ସିକ୍କିମର ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ଟିମକୁ ୨୪ଘଣ୍ଟିଆ ‘ହାଇ ଆଲର୍ଟ’ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ଲୋକଙ୍କ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ପ୍ରଶାସନର ସୂଚନା ଅନୁସାରେ, ପୂର୍ବରୁ ସତର୍କତା ମୂଳକ ଭାବେ ୨୮ଟି ବିପଦପୂର୍ଣ୍ଣ ଘରୁ ୧୨୮ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ଯେଉଁଥିପାଇଁ କୌଣସି ଜୀବନହାନି ଘଟିନାହିଁ।