ସାଧାରଣ ମଣିଷ ଟିଏ ଭଳି ଦୁଇଟି ଗୋଡ ନାହିଁ । ହେଲେ ଗୋଟିଏ ଗୋଡ଼ରେ ସେ ଯାହା କରିପାରିଛନ୍ତି ତାହା ପ୍ରତ୍ୟେକଙ୍କ ପାଇଁ ଉଦାହରଣ । ସେ ତୀବ୍ର ଗତିରେ ହଲାଇପାରନ୍ତି ସାଇକେଲ ପୁଣି ବ୍ୟାଡମିଣ୍ଟନରେ ସଟ୍ ପରେ ସଟ୍ ମାରିପାରନ୍ତି। ପିଲାଟିର ପାରଦର୍ଶିତା କାହାଠୁ କିଛି କାମ ନୁହେଁ । ସେ ଗୋଟେ ଗୋଡ ପାଇଁ ମନ ଦୁଃଖ କରିବା ପରିବର୍ତ୍ତେ ନିଜର ଦୃଢ ମନ ଵାଲା ଯୋଗୁଁ ସଫଳତା ପାଇଛନ୍ତି । ବଲାଙ୍ଗୀର ପାଟଣାଗଡ଼ର ୧୪ ବର୍ଷୀୟ ମନୀଷ କୁମାର ମେହେର। ୯୦ ପ୍ରତିଶତ ଦିବ୍ୟାଙ୍ଗ , ଡାହାଣ ଗୋଡ ନାହିଁ । ହେଲେ ପ୍ରତିକୂଳ ପରିସ୍ଥିତି ଶାରୀରିକ ଅସୁସ୍ଥତା ତାଙ୍କୁ ଭାଙ୍ଗିପାରିନି । ପ୍ରାୟ ୩ କିଲୋମିଟର ଦୂର ରାମପୁର ଇଣ୍ଡୋର ଷ୍ଟାଡିୟମ୍ରେ ପ୍ରତ୍ୟେକ ଦିନ ସେ ସାଇକେଲ ଚଳାଇ ପହଞ୍ଚିଛନ୍ତି । ସାଧାରଣ ପିଲାଙ୍କ ସହ ୨ ରୁ ୩ ଘଣ୍ଟା ବ୍ୟାଡମିଣ୍ଟନ ଅଭ୍ୟାସ କରିଥାନ୍ତି । ତାଙ୍କ ପାଇଁ ଏହା କେବଳ ଖେଳ ନୁହେଁ, ବରଂ ନିଜକୁ ପ୍ରମାଣ କରିବାର ଲଢ଼େଇ।
ହେଲେ ମନୀଷଙ୍କ ଜୀବନ ପୂର୍ବରୁ ଏମିତି ନଥିଲା। ୨୦ ମେ ୨୦୧୫ରେ ପାଟଣାଗଡ଼ ଧୂମାଭଟା ଛକ ନିକଟରେ ଘଟିଥିବା ଏକ ବସ୍ ଦୁର୍ଘଟଣା ତାଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା। ଦୁର୍ଘଟଣାରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଆହତ ହୋଇଥିଲା। ପ୍ରାୟ ୬ ମାସ ଧରି ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ପରେ ମନୀଷଙ୍କ ଜୀବନ ତ ବଞ୍ଚିଗଲା, ହେଲେ ତାଙ୍କୁ ହରାଇବାକୁ ପଡ଼ିଲା ଗୋଟିଏ ଗୋଡ଼। ପୁଅର ଏଭଳି ଅବସ୍ଥା ଦେଖି ସେତେବେଳେ ଭାଙ୍ଗି ପଡ଼ିଥିଲେ ବାପା-ମାଆ। ହେଲେ ଆଜି ପୁଅର ଅଦମ୍ୟ ଜିଦ୍, ଦୃଢ଼ ମନୋବଳ ଓ ପରିଶ୍ରମ ଦେଖି ସେହି ବାପା-ମାଆଙ୍କ ଛାତି ଗର୍ବରେ ଫୁଲି ଉଠିଛି।
ଗୋଟିଏ ଗୋଡ଼ ହରାଇଥିଲେ ବି ହାର ମାନିନାହାନ୍ତି ମନୀଷ। ଗତ ଏକ ବର୍ଷ ହେଲା ସେ ବ୍ୟାଡମିଣ୍ଟନରେ କରୁଛନ୍ତି କଠିନ ଅଭ୍ୟାସ। ତାଙ୍କ ଆଖିରେ ଏବେ ଗୋଟିଏ ବଡ଼ ସ୍ୱପ୍ନ—ଦେଶ ପାଇଁ ପାରାଅଲିମ୍ପିକ୍ରେ ଖେଳି ଭାରତ ପାଇଁ ପଦକ ଜିତିବା।
ତେବେ ଏହି ସ୍ୱପ୍ନକୁ ସାକାର କରିବା ରାସ୍ତାରେ ମନୀଷଙ୍କ ସାମ୍ନାରେ ରହିଛି ଅନେକ ଚ୍ୟାଲେଞ୍ଜ। ଉପଯୁକ୍ତ କୋଚ୍, ଭଲ ପ୍ରଶିକ୍ଷଣ ପାଇଁ ପିଚ୍ ଏବଂ ଆର୍ଥିକ ସହଯୋଗର ଆବଶ୍ୟକତା ରହିଛି। ଏବେ ମନୀଷଙ୍କ ଆଶା, କେହି ଜଣେ ଆଗେଇ ଆସି ତାଙ୍କ ହାତ ଧରିବେ। ତାଙ୍କ ସଂଘର୍ଷର ଏହି ଯାତ୍ରା ଦିନେ ଦେଶ ପାଇଁ ପଦକ ଆଣିବ—ଏହା ହିଁ ତାଙ୍କର ସବୁଠୁ ବଡ଼ ସ୍ୱପ୍ନ।