ଟେକ୍ନୋଲୋଜି କ୍ଷେତ୍ରରେ ଛଟେଇ ଧାରା ଥମିବାର ନାଁ ନେଉନାହିଁ। ଏବେ ଆମେରିକୀୟ ଟେକ୍ କମ୍ପାନୀ ଓରାକଲ୍ ଭାରତରେ ପ୍ରାୟ ୩,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା କରୁଥିବା ଖବର ସାମ୍ନାକୁ ଆସିଛି। କମ୍ପାନୀ ଏଆଇ ଓ କ୍ଲାଉଡ୍ କମ୍ପ୍ୟୁଟିଂ ଉପରେ ନିଜର ନିବେଶ ଏବଂ ଗୁରୁତ୍ୱ ବଢ଼ାଉଥିବାରୁ ଏହି ଛଟେଇ ଯୋଜନା କରାଯାଉଥିବା କୁହାଯାଉଛି।
ଏଆଇ ଡାଟା ସେଣ୍ଟର ନିର୍ମାଣ ଓ ସମ୍ପ୍ରସାରଣ ଉପରେ ଓରାକଲ୍ ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ଚଳିତ ଆର୍ଥିକ ବର୍ଷରେ କମ୍ପାନୀର କ୍ୟାପିଟାଲ୍ ଏକ୍ସପେଣ୍ଡିଚର ପ୍ରାୟ ୫୫.୭ ବିଲିୟନ୍ ଡଲାରରେ ପହଞ୍ଚିଥିବା ତଥ୍ୟ ମିଳିଛି। ଏଆଇ ଓ କ୍ଲାଉଡ୍କୁ କେନ୍ଦ୍ର କରି ବ୍ୟବସାୟିକ ରଣନୀତି ବଦଳାଉଥିବାରୁ କମ୍ପାନୀର କର୍ମଚାରୀ ଆବଶ୍ୟକତାରେ ମଧ୍ୟ ପରିବର୍ତ୍ତନ ଆସୁଛି।
ପୂର୍ବରୁ ମଧ୍ୟ ହୋଇଛି କର୍ମଚାରୀ ହ୍ରାସ
ଓରାକଲ୍ ପୂର୍ବରୁ ମଧ୍ୟ ବଡ଼ ପରିମାଣରେ କର୍ମଚାରୀ ହ୍ରାସ କରିଛି। ଗତ ଆର୍ଥିକ ବର୍ଷରେ କମ୍ପାନୀ ନିଜର ମୋଟ କର୍ମଚାରୀ ସଂଖ୍ୟାରୁ ପ୍ରାୟ ୧୩ ପ୍ରତିଶତ, ଅର୍ଥାତ୍ ପ୍ରାୟ ୨୧ ହଜାର ପଦବୀ କମାଇଥିବା କୁହାଯାଉଛି। ସେହିପରି ମାଇକ୍ରୋସଫ୍ଟ ମଧ୍ୟ ଭାରତରେ ପ୍ରାୟ ୪୦୦ରୁ ୫୦୦ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହା ଟେକ୍ନୋଲୋଜି କ୍ଷେତ୍ରରେ ଚାକିରି ନେଇ ଚିନ୍ତାକୁ ଆହୁରି ବଢ଼ାଇଛି।
ଟେକ୍ନୋଲୋଜି କ୍ଷେତ୍ରରେ ଏବେ କେବଳ ଚାକିରି ହାସଲ କରିବା ଯଥେଷ୍ଟ ନୁହେଁ। କମ୍ପାନୀଗୁଡ଼ିକ ଦ୍ରୁତ ଗତିରେ ଏଆଇ, କ୍ଲାଉଡ୍ କମ୍ପ୍ୟୁଟିଂ, ସାଇବର ସିକ୍ୟୁରିଟି ଓ ଅଟୋମେସନ୍ ଭଳି କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି। ଫଳରେ ନୂଆ ପ୍ରଯୁକ୍ତି ସହ ତାଳ ଦେବା ପାଇଁ କର୍ମଚାରୀଙ୍କୁ ନିଜର ଦକ୍ଷତା ନିରନ୍ତର ଭାବେ ବଢ଼ାଇବାକୁ ପଡ଼ିବ। ଆଗାମୀ ଦିନରେ ଏଆଇ ଓ ଅଟୋମେସନ୍ର ପ୍ରଭାବ ଟେକ୍ ଚାକିରି ବଜାର ଉପରେ ଆହୁରି ବଢ଼ିପାରେ।