(ଶୁଭସ୍ମିତା ଦାଶ): ଆଜିଠାରୁ ଓମାନର ମସକାଟ୍ ଠାରେ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫିର ପଞ୍ଚମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ସୁଲତାନ କାବୁସ୍ ସ୍ପୋର୍ଟସ କଂପ୍ଲେକ୍ସରେ ଆରମ୍ଭ ହେବ ମ୍ୟାଚ୍ । ପ୍ରଥମ ମ୍ୟାଚରେ ଭାରତୀୟ ପୁରୁଷ ହକି ଟିମ ଆୟୋଜକ ଓମାନ ସହିତ ମୁହାଁମୁହିଁ ହେବ। ଗତଥର ବିଜେତା ଭାରତ ପାଇଁ ଏହି ମ୍ୟାଚରେ ବିଜୟୀ ହେବା ବହୁ ଗୁରୁତ୍ୱପୂର୍ଣ୍ଣ । ରାତି ୮ଟା ୨୫ରେ ମାଲେସିଆ-ଜାପାନ ମୁହାଁମୁହିଁ ହେବା ପରେ ୧୦ଟା ୪୦ରେ ଭାରତ ଆୟୋଜକ ଓମାନକୁ ଭେଟିବ। ଭାରତ ତା’ର ଦ୍ବିତୀୟ ମ୍ୟାଚ୍ରେ ଶନିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନର ମୁକାବିଲା କରିବ । ସେହିଭଳି ରବିବାର ଜାପାନ, ୨୩ ତାରିଖରେ ମାଲେସିଆ, ୨୪ରେ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିବ। ପ୍ରତିଯୋଗିତାର ସେମିଫାଇନାଲ୍ ୨୭ ଏବଂ ଫାଇନାଲ୍ ଏବଂ ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍ ୨୮ ତାରିଖରେ ଆୟୋଜିତ ହେବ । ଭାରତୀୟ ଟିମ ନିକଟରେ ଏସୀୟ କ୍ରୀଡ଼ାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ସେଥିପାଇଁ ଭାରତକୁ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ତେଣୁ ଆଜି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।
ଗତଥରର ବିଜେତା ଭାରତ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ (ବିଶ୍ବ ମାନ୍ୟତାର ପଞ୍ଚମ) ଦଳ ଭାବେ ଖେଳିବ। ଏଣୁ ଏସୀୟ କ୍ରୀଡ଼ାର କାଂସ୍ୟ ପଦକ ପ୍ରଦଶର୍ନକୁ ଟପି ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିବ। ଜାକର୍ତା ଏସୀୟ କ୍ରୀଡ଼ା ଅବସରରେ ଓମାନ ସହ ଖେଳିଥିବା ଗତ ମ୍ୟାଚ୍କୁ ଭାରତ ଏକତରଫା ଭାବେ ୭-୦ ଗୋଲ୍ରେ ଜିତି ନେଇଥିଲା। ହେଲେ ଓମାନ କୌଣସି ପରିସ୍ଥିତିରେ ଭାରତକୁ ହାଲକା ଭାବେ ନେବ ନାହିଁ ବୋଲି ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି।
.
.