ବିଶ୍ୱ ହକି ବେଳେ ବୁଲିବ ଡ୍ରୋନ

(ଆଦର୍ଶ ରାଉତ) : ଆସନ୍ତା ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ୍ । ଏନେଇ ଗତକାଲିଠାରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ଟିମର ୨୫ ଜଣ ଖେଳାଳି । ବିଶ୍ୱକପକୁ ଲକ୍ଷ୍ୟରେ ରଖି କଳିଙ୍ଗଷ୍ଟାଡିୟମରେ ଅଭ୍ୟାସ କରିବା ଲାଗି ପହଞ୍ଚିଛନ୍ତି ଭାରତୀୟ ଟିମ୍ ।

ଯେହେତୁ ହକିଷ୍ଟାଡିୟମର କିଛି ଭାଗ ନିର୍ମାଣ କାମ ଚାଲିଛି । ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଶ୍ରମିକମାନଙ୍କର ପରିଚୟପତ୍ର ସହ ସମ୍ପର୍ଣ୍ଣ ତାଲିକା ମାଗିଛି କମିସନରେଟ ପୋଲିସ । ବିଶ୍ୱ କପ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ନିମନ୍ତେ କମିସନରେଟ ପୋଲିସ ତରଫରୁ ଡ୍ରୋନ କ୍ୟାମେରା ଉଡାଇବାର ଲକ୍ଷ୍ୟ ରଖାଯାଇଛି । ଡ୍ରୋନ କ୍ୟାମେରା ସାହାଯ୍ୟରେ ଆକାଶମାର୍ଗରୁ ଷ୍ଟାଡିୟମକୁ , ଦର୍ଶକ ଗ୍ୟାଲ୍ଲେରି ଏବଂ ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାଗୁଡିକର ନଜର ରଖିପାରିବେ କମିସନର ପୋଲିସ । ଏହି ଡ୍ରୋନ କ୍ୟାମେରାର କଣ୍ଟ୍ରୋଲରୁମ ପୋଲିସ କମିସନରଙ୍କ ଅଫିସରେ ରହିବ । ସୁରକ୍ଷାକୁ ନଜର ରଖି ଷ୍ଟାଡିୟମ ଏବଂ ତାହାର ଆଖାପାଖ ଅଞ୍ଚଳରେ ଦରକାର ପଡିଲେ ୧୪୪ ଧାରା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି ସତ୍ୟଜିତ ମହାନ୍ତି ।