( ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ତୈଳଦର ବୃଦ୍ଧି ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ ଘୋଷଣାକୁ ଦୃଢ ନିନ୍ଦା କରିଛନ୍ତି ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର । ଏହାସହ ବିଜେଡି ସରକାରଙ୍କୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନବାଣ ମଧ୍ୟ ମାରିଛନ୍ତି ଗୋଲଖ । ସେ ବିଜେଡିକୁ ପ୍ରଶ୍ନ କରି କହିଛନ୍ତି ୨୦୧୪ ମସିହାରେ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟସରକାର ୨୧.୨ ପ୍ରତିଶତ ଟିକସ ଲଗାଇଥିବବେଳେ ଆଜି ଦିନରେ ଏହି ଟିକସ ୨୬ ପ୍ରତିଶତ ପହଞ୍ଚିଛି ଏହା ସତ ନା ମିଛ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଚତୁର୍ଦ୍ଦଶ ଅର୍ଥ କମିସନ ସୁପାରିଶ ଲାଗୁ ପରେ କେନ୍ଦ୍ରୀୟ ଟିକସର ୪୨ ଭାଗ ରାଜ୍ୟସରକାରଙ୍କ ତହବିଲକୁ ଯାଉଛି ନା ନାହିଁ ବିଜେଡି ତାହା ସ୍ପଷ୍ଟ କରୁ ବୋଲି କହିଛନ୍ତି ।
ତୈଳ ଦର ବୃଦ୍ଧିକୁ ନେଇ ଶ୍ରୀ ମହାପାତ୍ର କହିଛନ୍ତି ଏଥିପାଇଁ ଭାରତ ସରକାର ଚିନ୍ତିତ ଅଛନ୍ତି କିଭଳି ତୈଳଦର କମିବ । ଦରବୃଦ୍ଧି ପ୍ରମୁଖ କାରଣ ହେଉଛି ଅନ୍ତରାଷ୍ଟ୍ରିୟ ବଜାରରେ କଞ୍ଚାତେଲ ଦରବୃଦ୍ଧିର ଏହା ପ୍ରଭାବ ଏବଂ ତୈଳ ରପ୍ତାନୀକାରୀ ଦେଶକୁଡିକରେ ଲାଗିଥିବା ଗୃହଯୁଦ୍ଧର ଏହା ପରିଣାମ । ଆହୁରି ମଧ୍ୟ କହିଥିଲେ ସେତେବେଳେର ୟୁପିଏ ସରକାର ଅଏଲ ବଣ୍ଡ ରଖି ଋଣ ସୁଝିବାକୁ ପଡୁଛି କେନ୍ଦ୍ରସରକାରଙ୍କୁ । ସେହିପରି ରାଜ୍ୟସରକାରଙ୍କୁ କହିଥିଲେ ଦେଶର ଅନ୍ୟ ରାଜ୍ୟ ଭଳି ଓଡିଶା ସରକାର ତେଲ ଉପରୁ ଭ୍ୟାଟ୍ କମାନ୍ତୁ । ବର୍ତ୍ତମାନ ରାଜ୍ୟସରକାର ତେଲ ଉପରେ ଲଗାଇଥିବା ୨୬ ପ୍ରତିଶତ ଟିକସ ଦ୍ୱାରା ରାଜ୍ୟବାସୀଙ୍କୁ କଷ୍ଟ ଦେଉଛନ୍ତି ରାଜ୍ୟସରକାର ଏବଂ ଅନ୍ୟ ଉପରେ ଦୋଷ ଦେଇ ନିଜେ ଖସିଯିବା ପାଇଁ ଅପଚେଷ୍ଟା କରୁଛନ୍ତି ରାଜ୍ୟସରକାର ବୋଲି କଟାକ୍ଷ କରି କହିଥିଲେ ଗୋଲଖ ।