(ରିପୋର୍ଟସ ଟୁଡେ): ଗତକାଲି ରାତିରେ ଫୁଲବାଣୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଦୁର୍ବୃତ୍ତମାନେ ପୁଲିସ ତ ଦୂରର କଥା, କୋର୍ଟକୁ ମଧ୍ୟ ଆଉ ଭୟ କରୁ ନାହାଁନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ଗତକାଲି ରାତିରେ କୋର୍ଟର ମାଲଖାନା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରି କରି ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ବେଳେ ୧୦ରୁ ୧୨ ଜଣ ଯୁବକ ୬ଟି ବାଇକ୍ରେ ଆସି କନ୍ଧମାଳ ଜିଲ୍ଲା କୋର୍ଟ ପରିସରରେ ଥିବା ମାଲକାନା ନିକଟରେ ପହଞ୍ଚିଥିଲେ। ପରେ ସେମାନେ ଶାବଳରେ ମାଲଖାନାର ଝରକା ତାଡ଼ି ଦେବା ସହିତ ଏହା ଭିତରେ ଥିବା ଗଞ୍ଜେଇ ରୁ ୬ ବସ୍ତା ଗଞ୍ଜେଇକୁ ବାହାରକୁ ଆଣିଥିଲେ। ତେବେ ଏ ସମ୍ପର୍କରେ ଖବର ପାଇ ପୁଲିସ ରାତି ସାଢ଼େ ୨ଟା ବେଳେ ମାଲଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜବତ ଗଞ୍ଜେଇର ଓଜନ ପାୟ ଦେଢ଼ କ୍ୱିଣ୍ଟାଲ ହେବ ଓ ଏହାର ବଜାର ମୂଲ୍ୟ ପ୍ରାୟ ୬ରୁ ୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।