ବଢ଼ିଲା କଟକ ବାଲିଯାତ୍ରା ବିବାଦ; ମେୟର ସୁବାସ ସିଂଙ୍କ କ୍ଷୋଭ

କଟକ: ବଢ଼ିଲା କଟକ ବାଲିଯାତ୍ରା ବିବାଦ । କ୍ଷୋଭ ପ୍ରକାଶ କଲେ ମେୟର ସୁବାସ ସିଂ । ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ମେୟର କହିଛନ୍ତି, ଚଳିତ ବର୍ଷ ବାଲିଯାତ୍ରାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ଜିଲ୍ଲା ପ୍ରଶାସନ । ସିଏମସିକୁ କୌଣସି ବାବଦରେ ଅବଗତ କରାଇନାହାନ୍ତି । ଉଦ୍‌ଘାଟନୀ ଦିନ ସିଏମ୍‌ସି କମିଶନରଙ୍କୁ ଷ୍ଟେଜ୍‌କୁ ଡାକିଲେନି । ବାଲିଯାତ୍ରା ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ଆସିଥିଲେ । ହେଲେ ମେୟରଙ୍କୁ ଡକାଗଲାନି କି ନିମନ୍ତ୍ରଣ ପତ୍ରରେ ନାଁ ରହିଲା ନାହିଁ । ଜିଲ୍ଲାପାଳ ଅହଂକାର ଓ ଏକଚାଟିଆ ମନୋବୃତ୍ତିରେ ବାଲିଯାତ୍ରା କରିଛନ୍ତି । ଲୋକ ପ୍ରତିନିଧିଙ୍କୁ ମଧ୍ୟ ଅସମ୍ମାନ କରିଛନ୍ତି ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିବୁ । କାହିଁକି ଏପରି ହେଲା ତର୍ଜମା କରିବା ଆବଶ୍ୟକ ବୋଲି କହିଛନ୍ତି ସୁବାସ ।

ତେବେ କହିରଖୁଛୁ ଯେ, ବାଲିଯାତ୍ରା ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ବିବାଦ ଘେରରେ ରହିଥିଲା । ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନ ହେବା ପ୍ରସଙ୍ଗ ଠାରୁ ନେଇ ଶେଷ ଦିନରେ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମରେ ଠେଲାପେଲା ହେବା ଘଟଣା ପର୍ଯ୍ୟନ୍ତ ବିଭିନ୍ନ ବିଶୃଙ୍ଖଳା ଦେଖାଦେଇଥିଲା । ସେପଟେ ଯାତ୍ରାର ଶେଷ ଦିନରେ ବଲିଉଡ୍ ସିଙ୍ଗର ଶ୍ରେୟା ଘୋଷଲଙ୍କ କାର୍ଯ୍ୟକ୍ରମରେ ଘଟିଥିବା ଅଘଟଣକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି । ତେବେ ପୋଲିସ ଡିଜି ବାଲିଯାତ୍ରାରେ ଠେଲାପେଲା ହେବା ଘଟଣାରେ ଜିଲ୍ଲା ପ୍ରଶାସନ ପାଇଁ ନିଜର ମତ ପ୍ରକାଶ କରିଛନ୍ତି । ଏନେଇ ଜିଲ୍ଲାପାଳ ନିଜର ମତ ରଖି କହିଛନ୍ତି, ‘ବାଲିଯାତ୍ରା ଆୟୋଜନରେ କେବଳ ଜିଲ୍ଲା ପ୍ରଶାସନ ଦାୟିତ୍ବ ନିର୍ବାହ କରୁନଥିଲା ବରଂ ସମସ୍ତ ବିଭାଗର ସମ୍ୱନୟରେ ଏହାର ଆୟୋଜନ ହୋଇଥିଲା । ତେବେ ଅସୁବିଧାଗୁଡ଼ିକୁ ନେଇ ଆଗକୁ ଆହୁରି ସତର୍କତା ଅବଲମ୍ବନ କରାଯିବ ।’