ବଲିଉଡରେ ପୁଣି ଏକ ଯୌନ ନିର୍ଯ୍ୟାତନା ମାମଲା, ବିକାଶ ବହଲଙ୍କ ବିରୋଧରେ କଙ୍ଗନା ଆଣିଲେ ଅଭିଯୋଗ

(ଶୁଭସ୍ମିତା ଦାଶ): ବଲିଉଡରେ ଗତ କିଛିଦିନ ହେବ ନାନା ପାଟ୍ଟେକରଙ୍କ ବିରୋଧରେ ତନୁଶ୍ରୀ ଦତ୍ତା ଆଣିଥିବା ଯୌନ ଉତ୍ପୀଡ଼ନର ଅଭିଯୋଗର ଚର୍ଚ୍ଚା ଜୋର ଧରିଛି । ଏବେ ପୁଣି ଆଉ ଦୁଇ ବଲିଉଡ଼ ତାରକାଙ୍କ ନାଁରେ ଏହି ଅଭିଯୋଗ ଆସିଛି । ସମ୍ପ୍ରତି ବଲିଉଡ଼ରେ ଯୌନ ଶୋଷଣକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ଏବେ ପୁଣି ଅଭିନେତ୍ରୀ କଙ୍ଗନା ରଣାୱତ୍‍ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକାଶ ବହଲଙ୍କ ବିରୋଧରେ ଯୌନ ନିର୍ୟ୍ୟାତନା ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ, ଏକ ସାକ୍ଷାତକାରରେ ସେ କହିଛନ୍ତି, “ଚଳଚ୍ଚିତ୍ର ‘କୁଇନ୍’ର ସୁଟିଂ ଚାଲିଥିବା ସମୟରେ ନିର୍ଦ୍ଦେଶକ ବିକାଶ ବହଲ୍ ତାଙ୍କୁ ଅନେକ ଥର ନିର୍ୟ୍ୟାତନା ଦେଇଥିଲେ। ବହଲ୍ ୨୦୧୪ରେ ବିବାହ କରିଥିଲେ ହେଁ ତାଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ରହିଥିବା କଙ୍ଗନା କହିଛନ୍ତି। ଅଧିକାଂଶ ରାତିରେ ସେ ପାର୍ଟି ଦେଉଥିଲେ ଓ ମୋତେ ଆସିବାକୁ ବାଧ୍ୟ କରୁଥିଲେ। ପ୍ରଥମେ ତାଙ୍କ ପ୍ରକୃତ ଉଦ୍ଦେଶ୍ୟ ମୁଁ ବୁଝିପାରିନଥିଲି। ହେଲେ ଧିରେ ଧିରେ ଏହା ଜାଣିବା ପରେ ତାଙ୍କ ସହ ମିଳାମିଶା ବନ୍ଦ କରିଦେଇଥିଲି”।

କଙ୍ଗନା ପୁନଶ୍ଚ କହିଛନ୍ତି, “ଯେ ବହଲ୍ ମୋତେ ଆଲିଙ୍ଗନ କଲାବେଳେ ଜୋରରେ ଭିଡ଼ି ଧରିଥା’ନ୍ତି। ତାଙ୍କଠାରୁ ନିଜକୁ ମୁକ୍ତ କରିବା ପାଇଁ ମୋତେ ସବୁ ବଳ ଖଟାଇବାକୁ ପଡ଼ିଥାଏ”। ଏହାପରେ ସେ ବିକାଶ ବହଲଙ୍କ ୨-୩ଟି ଚଳଚ୍ଚିତ୍ରରେ କାମ କରିବାକୁ ମନା କରିଦେଇଥିଲେ। ତେବେ ଦିନକୁ ଦିନ ଏଭଳି ଘଟଣା ବଲିଉଡର ପରଦା ପଛର ରହସ୍ୟକୁ ଉନ୍ମୋଚନ କରୁଛି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।