ମେଟ୍ରୋ ପକଳ୍ପ: ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରରୁ ତ୍ରିଶୂଳିଆ ଚାଲିବ ମେଟ୍ରୋ ଟ୍ରେନ

ଭୁବନେଶ୍ୱର: ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ଚାଲିବ ମେଟ୍ରୋ ଟ୍ରେନ । ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପ୍ରକଳ୍ପର ପୁର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମଆରସି)କୁ ଦାୟିତ୍ୱ ଦିଆଯାଇଥିଲା। ଆଜି ଦିଲ୍ଲୀ ମେଟ୍ରୋ ରେଳ ନିଗମ ଭୁବନେଶ୍ୱରରେ ଟ୍ରାଫିକ ସର୍ଭେ, ଜିଓ ଟେକନିକାଲ ଇନଭେଷ୍ଟିଗେସନ, ଟୋପୋଗ୍ରାଫିକ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆକଳନ ଆଦି ପରେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ନିକଟରେ ଦାଖଲ କରିଛି ।
ପ୍ରଥମ ପର୍ଯ୍ୟୟରେ ମେଟ୍ରୋ ଟ୍ରେନ ମୋଟ ୨୬ କିମି ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ୨୦ ଷ୍ଟେସନ ରହିବ । ପ୍ରଥମ ପର୍ଯ୍ୟୟରେ ମେଟ୍ରୋ ଲାଇନ୍ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆରମ୍ଭ ହାେଇ ତ୍ରିଶୂଳିଆ ଯାଏ ନିର୍ମାଣ ହେବ।

ଏହି ୨୬ କିଲୋମିଟର ମଧ୍ୟର ୨୦ଟି ଷ୍ଟେସନ ରହିବ। ମେଟ୍ରୋ ଟ୍ରେନ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳଷ୍ଟେସନ, ରାମମନ୍ଦିର ଛକ, ବାଣୀବିହାର, ଆଚାର୍ୟ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଓ କଟକର ତ୍ରିଶୁଳିଆ ଛକ ପର୍ୟ୍ୟନ୍ତ ଚଳାଚଳ କରିବ।

ମୋଟ୍ରୋ ଟ୍ରୋନ ପ୍ରକଳ୍ପ ପାଇଁ ରାଜ୍ୟ ସରକାରେ ସମସସ୍ତ ଖର୍ଚ୍ଚ ବହନ କରିବେ । ପର୍ୟ୍ୟଟନ, ଆର୍ଥିକ ଓ ସାମାଜିକ ଦୃଷ୍ଟି କୋଣରୁ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ରାଜ୍ୟ ପାଇଁ ସମୃଦ୍ଧିର ପଥ ଉନ୍ମୁକ୍ତ କରିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସହର ସମନ୍ୱୟ କମିଟିରେ ପରିବହନ ବିଭାଗ, ୱାଟକୋ, ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍, ବିଏସ୍ଏନ୍ଏଲ, ଶକ୍ତି ବିଭାଗ, ଗେଲ୍, ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ, ବିଡିଏ, ଏନ୍ଏଚ୍ଏଆଇ, କ୍ରୁଟ୍, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଇଡ୍କୋ, ବିଏମସି ଓ କମିସନରେଟ ପୁଲିସର ବରିଷ୍ଠ ଅଧିକାରକାରୀମାନେ ସାମିଲ ଅଛନ୍ତି। ଏହି ବିଭାଗଗୁଡ଼ିକ ଜଣେ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଏହି କମିଟି ପାଇଁ ନିଯୁକ୍ତ କରିଛନ୍ତି ଓ ଏମାନେ ଆଗକୁ ଏହି ପ୍ରକଳ୍ପ ସମ୍ପର୍କିତ ସମସ୍ତ କାର୍ୟ୍ୟରେ ସହାୟତା ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି।