ଏସସିବି ମେଡିକାଲ ଆଇସିୟୁ ଘଟଣା: ରୋଗୀ ବେଡ୍‌ରୁ ଖସିବା ପରେ ଡ୍ୟୁଟିରେ ଥିବା କର୍ମଚାରୀ ନିଲମ୍ବିତ

କଟକ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଆଇସିୟୁରେ ଘଟିଥିବା ଏକ ଅଭାବନୀୟ ଘଟଣାକୁ ନେଇ କର୍ତ୍ତୃପକ୍ଷ କଠୋର ପଦକ୍ଷେପ ନେଇଛନ୍ତି। ଆଇସିୟୁ ବେଡ୍‌ରୁ ଜଣେ ମହିଳା ରୋଗୀ ଖସିପଡ଼ିବା ଘଟଣାରେ ସେଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ଏସସିବି କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ନିଲମ୍ବିତ କର୍ମଚାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଛି। ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ସେ କାର୍ଯ୍ୟରୁ ଅନ୍ତରରେ ରହିବେ। ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ମେଡିକାଲର ଆଇସିୟୁ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସାଧୀନ ଥିବା ଜଣେ ମହିଳା ରୋଗୀଙ୍କ ବେଡ୍‌ର ବାଡ଼ ଭାଙ୍ଗି ତଳକୁ ଖସିପଡ଼ିଥିଲା। ଏହି ଦୃଶ୍ୟକୁ କେହି ଜଣେ ମୋବାଇଲରେ ଭିଡିଓ କରିଥିଲେ।

ଆଇସିୟୁ ଭିତରେ ରୋଗୀମାନଙ୍କ ପ୍ରତି କିପରି ଅବହେଳା ହେଉଛି, ତାହାର ଏକ ନଗ୍ନ ଚିତ୍ର ଏହି ଭିଡିଓରେ ଦେଖିବାକୁ ମିଳିଥିଲା। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏସସିବି କର୍ତ୍ତୃପକ୍ଷ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।