ଚଣ୍ଡିଗଡରେ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ଭାରତର ପରାଜୟ ହୋଇଛି । ଏହି ମ୍ୟାଚରେ ମଧ୍ୟ ଶୁବମନ ଗିଲ୍ ଓ ସୂର୍ୟ୍ୟକୁମାର ଯାଦବ ଫେଲ୍ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଟିମ୍ ଇଣ୍ଡିଆ ଦୁଇଟି ବଡ଼ ସମସ୍ୟାର ସମ୍ମୁଖୀନ ହେଉଛି । ୨୦୨୬ ଟି-୨୦ ବିଶ୍ୱକପ୍ ଯେତିକି ପାଖେଇ ଆସୁଛି ଟିମ୍ ଇଣ୍ଡିଆର ସମସ୍ୟା ସେତିକି ବଢ଼ିବାରେ ଲାଗୁଛି । ରନ୍ ସଂଗ୍ରହ କରିବାକୁ ସଂଘର୍ଷ କରୁଛନ୍ତି ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଏବଂ ଉପ-ଅଧିନାୟକ ଶୁବମନ ଗିଲ୍ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ରେ ଉଭୟ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ପ୍ରଥମ ଦୁଇଟି ମ୍ୟାଚ୍ ପରେ ଏହି ଆଶା ମଉଳି ଯାଇଛି । ପ୍ରଥମ ଟି-୨୦ ପରେ ଉଭୟ ବ୍ୟାଟ୍ସମ୍ୟାନ୍ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ମଧ୍ୟ ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି । ପ୍ରଥମ ଟି-୨୦ ମ୍ୟାଚ୍ରେ ୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଏବଂ ଉପ-ଅଧିନାୟକ ଶୁବମନ ଗିଲ୍ । ଏବେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ସେ ନିଜର ଖାତା ଖୋଲିପାରି ନଥିଲେ । ଗିଲ୍ ଗତ ୧୪ ଟି-୨୦ ମ୍ୟାଚରେ କେବଳ ୨୬୩ ରନ୍ କରିଛନ୍ତି । ଯେଉଁଥିରେ ଗୋଟିଏ ବି ଅର୍ଦ୍ଧଶତକ ନାହିଁ । ଏହି ସମୟ ମଧ୍ୟରେ ଗିଲଙ୍କ ହାରାହାରି ୨୩.୯୦ ରହିଛି । ଯେତେବେଳେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ରହିଛି ମାତ୍ର ୧୪୨.୯୩ । ବାରମ୍ବାର ବିଫଳତା ସତ୍ତ୍ୱେ ଏବେ ବି ସୁଯୋଗ ପାଉଛନ୍ତି ଗିଲ୍ ।

ବଡ଼ ମ୍ୟାଚରେ ଗିଲଙ୍କ ରନ୍ ଅଭାବରୁ ପ୍ରଶଂସକମାନେ ନିରାଶ ଅଛନ୍ତି । ଆଉ ଏବେ ମୁଲାନପୁରରେ ଗିଲ୍ଙ୍କ ବିଫଳତା ପରେ ଏବେ ତାଙ୍କୁ ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ରୁ ବାଦ୍ ଦେବାକୁ ଦାବି କରିଛନ୍ତି ପ୍ରଶଂସକ । ଶୁବମନ ଗିଲଙ୍କ ପରି ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଖରାପ ରହିଛି । ସେ ପ୍ରଥମ ଟି-୨୦ରେ ୧୨ ରନ୍ କରିଥିଲେ, କିନ୍ତୁ ଏହି ମ୍ୟାଚ୍ରେ ମାତ୍ର ୫ ରନ୍ କରିଥିଲେ। ତାଙ୍କର ଶେଷ ୨୦ ଟି-୨୦ ମ୍ୟାଚ୍ରେ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ୧୧୯.୪୭ ଷ୍ଟ୍ରାଇକ୍ ରେଟ୍ ସହିତ ୧୩.୩୫ର ନୈରାଶ୍ୟଜନକ ହାରରେ ମାତ୍ର ୨୨୭ ରନ୍ କରିଛନ୍ତି। ପ୍ରଶଂସକମାନେ ଟି-୨୦ ବିଶ୍ୱକପ୍ ପୂର୍ବରୁ ଏହି ପ୍ରଦର୍ଶନରେ ଖୁସି ନୁହଁନ୍ତି, ଯାହା ଫଳରେ ଅଧିନାୟକଙ୍କୁ ବି ଦଳରୁ ବିଦା କରିବାକୁ ଦାବି ହେଉଛି ।