କଟକ: ବାରବାଟୀରେ ଟିମ୍ ଇଣ୍ଡିଆ…କାଲି ଟି20 ପୂର୍ବରୁ ଆଜି ଅଭ୍ୟାସ କରିବାକୁ ପହଞ୍ଚିଛନ୍ତି କୋଚ୍ ଓ ଖେଳାଳି। ସେପଟେ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼। ତେବେ ବାରବାଟୀରେ ଅଭ୍ୟାସ କରିବା ପୂର୍ବରୁ ଭାରତୀୟ ଟି୨୦ କ୍ୟାପଟେନ୍ ସୂର୍ଯ୍ୟକୁମାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । T-20 ଫର୍ମାଟ୍ରେ ଆସନ୍ତା ବିଶ୍ବକପ୍ ପ୍ରସ୍ତୁତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସର୍ଯ୍ୟକୁମାର ଯାଦବ ।

ଯାଦବ କହିଛନ୍ତି, ପରୀକ୍ଷା ଆରମ୍ଭର ଶେଷ ୪ ଦିନ ପୂର୍ବରୁ ସବୁ ପାଠ ପଢ଼ାଯାଏ ନାହିଁ । ତେଣୁ ଆମେ ୨୦୨୪ T-20 ବିଶ୍ବକପ୍ ପରଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛୁ । ଟିମ୍ କମ୍ବିନେସନରେ ବେଶୀ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ । ଗତ ୫/୬ଟି ସିରିଜ୍ରେ କରିନୁ, ଆଗକୁ ବି ବେଶୀ ଅଦଳବଦଳ କରିବୁନି ବୋଲି କହିଛନ୍ତି ସୂର୍ଯ୍ୟକୁମାର । ସେ ଆହୁରି କହିଛନ୍ତି,ଗିଲ୍ ଫିଟ୍ ହୋଇ ଫେରିଛନ୍ତି, ତେଣୁ ସେ ତାଙ୍କ ସ୍ଥାନରେ ଖେଳିବେ । ସଞ୍ଜୁ ସାମସନ୍ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛନ୍ତି । ପାଣ୍ଡ୍ୟା, ଦୁବେ ଅଲରାଉଣ୍ଡର । ତେଣୁ କାହାକୁ କାହା ସହ ତୁଳନା ଠିକ୍ ନୁହେଁ । ବାରବାଟୀରେ ବହୁ ପୂର୍ବରୁ ଘରୋଇ ମ୍ୟାଚ୍ ଖେଳିବାର ଅନୁଭୂତି ରହିଛି । କୁହୁଡ଼ି ଉପରେ କାହାରି ନିୟନ୍ତ୍ରଣ ନାହିଁ, ତାହା ପାଇଁ ନିଜର ପ୍ରସ୍ତୁତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ।