ବାଲିଶଙ୍କରା: କଂଗ୍ରେସରେ ଯୋଗ ଦେଲେ ହକି ତାରକା | ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗ ଦେଇଛନ୍ତି | କିଛି ଦିନ ତଳେ ବାଲିଶଙ୍କରାରେ କଂଗ୍ରେସ ପତାକା ଧରି ଦଳର ବ୍ଲକ ଘେରାଉରେ ସେ ସାମିଲ ହୋଇଥିବା ଦେଖାଯାଇଥିଲା । ଯାହାପରେ କଂଗ୍ରେସରେ ଯୋଗ ଦେବା କଥା ଚର୍ଚ୍ଚା ଜୋର ଧରିଥିଲା | ୨୦୨୪ ନିର୍ବାଚନରେ ତଳସରା କ୍ଷେତ୍ର ପାଇଁ କଂଗ୍ରେସ ଏକ ଗ୍ରହଣୀୟ ଚେହେରା ଖୋଜୁଥିବା ବେଳେ ପ୍ରବୋଧ କଂଗ୍ରେସ ଚେହେରା ହୋଇପାରନ୍ତି ବୋଲି ଆଲୋଚନା ହେଉଛି ।
ପ୍ରବୋଧ ୧୯୮୪ ଅକ୍ଟୋବର ୬ରେ ବାଲିଶଙ୍କରା ବ୍ଲକର ହକି ଗାଁ ଲୁଲୁକିଡିହିରେ ଅତି ଗରିବ ପରିବାରରେ ଜନ୍ମ ନେଇଥିଲେ | ଅଭାବ ଭିତରେ ବି ବଡ଼ ଭାଇ ଇଗ୍ନେଶ ସହ ପ୍ରବୋଧ ହକି ଖେଳିବାକୁ ମନ ବଳାଇଥିଲେ । ସେମାନଙ୍କ ପାଇଁ ଗାଁ ଦାଣ୍ଡ ହିଁ ଥିଲା ହକି ପଡ଼ିଆ । ଏପରିକି ହକି ବାଡ଼ି କିଣିବା ପାଇଁ ବାପା ସକ୍ଷମ ନଥିବାରୁ ବାଉଁଶ ବାଡ଼ି ଧରି ହକି ଅଭ୍ୟାସ କରୁଥିଲେ । ବହୁତ ସଂଘର୍ଷ ପରେ ପ୍ରବୋଧ ଭାରତୀୟ ହକି ଦଳର ଅଧିନାୟକର ପରିଚୟ ପାଇଛନ୍ତି |
୨୦୦୭ରେ ତାଙ୍କ ନେତୃତ୍ବରେ ଭାରତୀୟ ଦଳ ଏସିଆ କପ୍ ଜିତିଥିଲା । ୧୬୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ପ୍ରବୋଧ ଏକଲବ୍ୟ ପୁରସ୍କାର, ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ସମ୍ମାନ ପାଇଥିଲେ। ଏୟାର ଇଣ୍ଡିଆରେ ଆହୁରି ୧୮ ବର୍ଷ ଚାକିରି ଥିବା ସତ୍ତ୍ବେ ସେ ଗତ ଜୁଲାଇ ୩୧ରେ ଅବସର ନେଇ ଗାଁକୁ ଚାଲି ଆସିଛନ୍ତି ।