ରାଜ୍ୟରେ ସରକାରୀ ଜମିରେ ଅବୈଧ ଗଞ୍ଜେଇ ଚାଷ ରୋକିବାକୁ ସରକାର ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଏନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ।

ସରକାରୀ ଜମିରେ ଗଞ୍ଜେଇ ଚାଷ ଯେପରି ନହୁଏ, ସେଥିପାଇଁ କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀଙ୍କୁ ସଜାଗ ରହିବା ସହ ନିରନ୍ତର ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜେଇ ଚାଷ ଚିହ୍ନଟ ହେଲେ ତୁରନ୍ତ ଆଇନ ଅନୁଯାୟୀ ପଦକ୍ଷେପ ନେବା ସହ ଚାଷକୁ ରୋକିବା ପାଇଁ ରାଜସ୍ୱ ଓ ପୁଲିସ ବିଭାଗ ମଧ୍ୟରେ ସମନ୍ୱୟ ରଖିବାକୁ କୁହାଯାଇଛି।
ସେହିପରି ଗଞ୍ଜେଇ ଚାଷରେ ଲିପ୍ତ ମାଫିଆଙ୍କୁ କୌଣସି ଅଧିକାରୀ କିମ୍ବା କର୍ମଚାରୀ ସହଯୋଗ କରୁଥିବା ଜଣାପଡ଼ିଲେ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାରୀ ଜମିରେ ଅବୈଧ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କ୍ଷେତ୍ରସ୍ତରରେ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।