ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରହିଛି। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ। ରୂପାନ୍ତରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଶେଷ ହେବାକୁ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ ଏହି କାର୍ଯ୍ୟକୁ ସଫଳତାର ସହ କରିବାପାଇଁ ସେ ନେଇ ବିଭିନ୍ନ ସ୍କୁଲର ପରିଚାଳନା କମିଟି ସଦସ୍ୟଙ୍କ ସହ ଶ୍ରୀ ପାଣ୍ଡିଆନ ଆଲୋଚନା କରିଛନ୍ତି।
ସୂଚନା ଯୋଗ୍ୟ, ଗତ ମଙ୍ଗଳବାର ୮୨ଟି ଏବଂ ଗୁରୁବାର ଦିନ ୧୨୯ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ ଫାଇଭ ଟି ସଚିବ। ଏହାବ୍ୟତୀତ ପିଲାମାନଙ୍କ ଆଗାମୀ ଭବିଷ୍ୟତର ସ୍ବପ୍ନ ବିଷୟରେ ମଧ୍ୟ ସେ ପଚାରି ବୁଝିଥିଲେ। ଏହି ଭର୍ଚୁଆଲ ମିଟିଙ୍ଗରେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଦୁଇ ଦିନର କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ପୌରପାଳିକା ସହ ବିଭିନ୍ନ ବ୍ଲକରେ ପରବର୍ତ୍ତୀ ପର୍ଯ୍ୟାୟରେ ହେବାକୁ ଥିବା ରୂପାନ୍ତରଣ ସମ୍ପର୍କରେ ଆଲୋକପାତ କରିଥିଲେ।