ସାଇକେଲରେ ପାର୍ଲାମେଣ୍ଟ ପହଞ୍ଚିଲେ ବିରୋଧୀ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିରୋଧୀ ନେତା ମାନେ କୃଷି ଆଇନ, ପେଗାସସ୍ ବିବାଦ , ମହଙ୍ଗା ଦର କୁ ନେଇ ଆଜି ପାର୍ଲାମେଣ୍ଟ ଆଗରେ ସାଇକେଲ ମାଧ୍ୟମରେ ଆନ୍ଦୋଳନ କରିଛନ୍ତି । ସଂସଦରେ ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦଙ୍କ ପକ୍ଷରୁ ଗତିରୋଧ ଜାରି ରହିଥିବାବେଳେ ମଙ୍ଗଳବାର ଏଠାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଆବାହକତ୍ୱରେ ଏକ ପ୍ରାତଃଭୋଜ କାଳୀନ ବୈଠକ ଅନୁଷ୍ଠିତ ହୋଇଛି। ରାହୁଳଙ୍କ ଦ୍ୱାରା ଏପର୍ୟ୍ୟନ୍ତ ଆହୂତ ବୈଠକଗୁଡିକରୁ ତୃଣମୂଳ କଂଗ୍ରେସର ସାଂସଦମାନେ ଦୂରେଇ ରହୁଥିବାବେଳେ ମଙ୍ଗଳବାର ବୈଠକରେ ସେମାନେ ଉପସ୍ଥିତ ଥିଲେ। କେବଳ ଆମ ଆଦମି ପାର୍ଟି ଏହି ବୈଠକରେ ଅନୁପସ୍ଥିତ ରହିଥିଲା।

ସୂଚନାଯୋଗ୍ୟ ଯେ ପେଗାସସ୍ ଗୋଇନ୍ଦାଗିରି ପ୍ରସଙ୍ଗକୁ ନେଇ ଏକ ମିଳିତ ରଣକୌଶଳ ପ୍ରସ୍ତୁତ କରିବାକୁ ବିରୋଧୀ ଦଳଗୁଡିକର ଏହି ବୈଠକ ଅନୁଷ୍ଠିତ ହୋଇଛି ।  ରାହୁଲ କହିଥିଲେ, ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ମାମଲାରେ ସମସ୍ତେ ସ୍ୱର ଉଠାଇବା ଉଚିତ । ଆମେ ଯେତେ ମଜଭୁତ ହେବା ଏହି ସ୍ୱର ସେତେ ଶକ୍ତିଶାଳୀ ହେବ। ବିଜେପି, ଆର୍ଏସ୍ଏସ୍ ପାଇଁ ଏହି ସ୍ୱରକୁ ଦବାଇବା ମୁସ୍କିଲ୍ ହୋଇପଡ଼ିବ। ଏହି ପ୍ରସଙ୍ଗକୁ ଢାଲ କରି ସଂସଦ ଯାଏଁ ସାଇକେଲ ମାର୍ଚ୍ଚ କରିବାକୁ ବି ସେ କହିଥିଲେ। କଂଗ୍ରେସ, ଏନ୍ସିପି, ଶିବସେନା, ଆର୍ଜେଡି, ଏସପି, ସିପିଆଇଏମ୍, ସିପିଆଇ, ଆଇୟୁଏମ୍ଏଲ୍, ରିଭୋଲ୍ୟୁସନରୀ ସୋଶାଲିଷ୍ଟ ପାର୍ଟି, କେରଳ କଂଗ୍ରେସ, ଝଡଖଣ୍ଡ ମୁକ୍ତି ମୋର୍ଚ୍ଚା, ନ୍ୟାଶନାଲ କନ୍ଫ୍ରେନ୍ସ, ଟିଏମ୍ସି ଏବଂ ଲୋକତନ୍ତ୍ରିକ ଜନତା ଦଳ ଭଳି ଦଳରୁ ୧୫୦ ନେତା ରାହଲୁଙ୍କ ବ୍ରେକଫାଷ୍ଟ ପଲିଟିକ୍ସରେ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।