ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ର ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ଏବଂ ଅପମାନଜନକ ଭାଷା ବ୍ୟବହାର କରାଯାଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅପମାନଜନକ ଭାଷା ପ୍ରସାର କରିବା ଅଭିଯୋଗରେ ଏକ ନୂତନ ଏଫଆଇଆର (FIR) ପଞ୍ଜିକୃତ ହୋଇଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ଦଣ୍ଡ ସଂହିତାର ଧାରା 351(3)/353(2)/356(2) ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି। ଏହା ସହିତ ‘X’ (ପୂର୍ବତନ ଟ୍ୱିଟର) ଏବଂ Instagram ପ୍ଲାଟଫର୍ମରୁ ସମ୍ପୃକ୍ତ ଭିଡିଓଗୁଡ଼ିକୁ ତୁରନ୍ତ ଡିଲିଟ୍ କରିବାକୁ କୁହାଯାଇଛି। ଏହି ଭିଡିଓଗୁଡ଼ିକ କେଉଁ ହ୍ୟାଣ୍ଡେଲରୁ ଏବଂ କେଉଁଠାରୁ ପ୍ରସାରିତ ହେବା ଆରମ୍ଭ ହୋଇଥିଲା, ସେ ସମ୍ପର୍ଣ୍ଣ ତଥ୍ୟ ମଗାଯାଇ କିଛି ନ୍ୟୁଜ୍ ପୋର୍ଟାଲ୍ ଓ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ନୋଟିସ୍ ପଠାଯାଇଛି।

ଦିଲ୍ଲୀ ପୋଲିସର ସୋସିଆଲ ମିଡିଆ ମନିଟରିଂ ଟିମ୍ ଏବଂ ସାଇବର ଡିଭିଜନ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକରେ କ୍ରମାଗତ ଭାବେ ନଜର ରଖିଛନ୍ତି। ନିୟମ ଉଲ୍ଲଂଘନ କରୁଥିବା ପୋଷ୍ଟଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ହଟାଇବା ପାଇଁ ମଧ୍ୟସ୍ଥିମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ପୋଲିସର କହିବାନୁଯାୟୀ, ଏପରି ନୋଟିସ୍ ପରେ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଥିବା ଅନେକ ଆପତ୍ତିଜନକ ପୋଷ୍ଟ ଓ ଭିଡିଓକୁ ପୂର୍ବରୁ ହିଁ ହଟାଯାଇସାରିଛି।
ଅନ୍ୟ ଏକ ଘଟଣାରେ, କିଛି ଦିନ ପୂର୍ବେ (୨୩ ଜୁଲାଇରେ) ପ୍ରଧାନମନ୍ତ୍ରୀଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ଅସ୍ଥାୟୀ ଭାବରେ ହଟାଇ ଦିଆଯିବା ପ୍ରସଙ୍ଗକୁ ନେଇ ସରକାର ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ମେଟା ଏଥିପାଇଁ କ୍ଷମାପ୍ରାର୍ଥନା କରିଥିଲେ ଏବଂ ଜଣେ ଅଧିକାରୀଙ୍କୁ ସମନ ମଧ୍ୟ କରାଯାଇଥିଲା। ଏହି ସମ୍ପର୍ଣ୍ଣ ବିଷୟରେ ସୂଚନା ପ୍ରଯୁକ୍ତିବିଦ୍ୟା ସଚିବ ଏସ. କ୍ରିଷ୍ଣନ୍ କହିଛନ୍ତି ଯେ, କମ୍ପାନୀ ନିଜର ଭୁଲ୍ ସ୍ୱୀକାର କରି କ୍ଷମା ମାଗିଥିଲେ ହେଁ ସରକାର ଏହି ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ନୁହଁନ୍ତି। “ଏହା ଭଲ ଯେ ସେମାନେ କ୍ଷମା ମାଗିଛନ୍ତି, କିନ୍ତୁ ଆମେ ସେମାନଙ୍କ ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ନୁହଁୁ ଏବଂ ଏହି ବିଷୟରେ ଅଧିକ ବିସ୍ତୃତ ସୂଚନା ଲୋଡ଼ିଛୁ,” ବୋଲି ସେ ସ୍ପଷ୍ଟ କରିଛନ୍ତି।