(କାହ୍ନୁ ଚରଣ ସାହୁ): ବର୍ଷକ ଯାକ ପରିଶ୍ରମ କରି ଚାଷ କରିଥିବା ଚାଷୀର ମେରୁଦଣ୍ଡ ଦୋହଲାଇ ଦେଇଛି ଚକଡା ଓ ମରୁଡି । ଗୋଟିଏ ପଟେ କରଜ ଚିନ୍ତା ତ ଅନ୍ୟପଟେ ପ୍ରଶାସନିକ ଉଦାସୀନତା ମନୋଭାବ, ଏଭଳି ସ୍ଥିତିରେ ମନୋବଳ ହରାଇଥିବା ଚାଷୀ ଶେଷରେ କ୍ଷତି ପୁରଣ ପାଇବା ପାଈଁ ରାସ୍ତାକୁ ଓହ୍ଲାଇଛି । ଆଜି କୃଷକ କଲ୍ୟାଣ ମଞ୍ଚ କର୍ଲାମୁଣ୍ଡା ପକ୍ଷରୁ ଶିଶୁ ମନ୍ଦିର ନିକଟରୁ ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ବାହାରି କର୍ଲାମୁଣ୍ଡା ବ୍ଲକ ଓ ତହସିଲ କାର୍ୟ୍ୟାଳୟ ଘେରାଉ କରିଛନ୍ତି । ଚକଡା ରୋଗରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ୍ ସବସିଡ଼ି, ବୀମା ସହାୟତା, ରାଜସ୍ବ ଖଜଣା ଓ କୃଷି ଋଣ ଛାଡ଼, ବିନା ସୁଧରେ ଋଣ ପ୍ରଦାନ, ମଣ୍ଡିରେ ଦଲାଲ ରାଜ ବନ୍ଦ ଓ ଚାଷୀଙ୍କୁ ଵୋନସ୍, ମରୁଡିର ସ୍ଥାୟୀ ପ୍ରତିକାର ପାଈଁ ତେଲ ନଦୀରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ଓ ରାହୁଲ ଉତେଇ ନଦୀ ସଂଯୋଗି କରଣ ଏବଂ ବିଗତ ବର୍ଷର କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ କରିବା ଭଳି ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉଭୟ ବିଡ଼ିଓ ଏବଂ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ଏଥିରେ ମଞ୍ଚ ପକ୍ଷରୁ ସଭାପତି ନରୋ ତ୍ତମ୍ ସେଲମା, ସମ୍ପାଦକ ସୁରେଶ ଚୌଧୁରୀ, ସମସ୍ତ ପଂଚାୟତର ଚାଷୀ ପ୍ରତିନିଧିଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ ।