(ରିପୋର୍ଟସ ଟୁଡେ):ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରସାଦ ଯାଦବ ନିଜର ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ନିଖୋଜ ହୋଇଯାଇଥିବା ଖବର ମିଳିଛି। ସେ ବିହାର ବୋଧଗୟାର ଏକ ହୋଟେଲରେ ଅବସ୍ଥାନ କରୁଥିବା ସମୟରେ ଲୁଚି ପଳାୟନ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ପତ୍ନୀ ଐଶ୍ୱର୍ୟ୍ୟା ରାୟଙ୍କୁ ଛାଡପତ୍ର ଲାଗି ଆବେଦନ କରିବା ପରେ ପରେ ଏହି ଘଟଣା ଘଟିଛି।
ରାଞ୍ଚିରେ ଜେଲରେ ଥିବା ବାପା ଲାଲୁ ପ୍ରସାଦଙ୍କୁ ଭେଟି ତେଜ ପ୍ରତାପ ବିହାରର ରାଜଧାନୀ ପାଟନା ଫେରୁଥିଲେ। ଫେରନ୍ତା ରାସ୍ତାରେ ସେ ବୋଧଗୟାରେ ରାତ୍ରିଯାପନ ଲାଗି ଏକ ହୋଟେଲରେ ରହିଥିଲେ। ହୋଟେଲରେ ଥିବା ସମୟରେ ସେ ଫାନ୍ରେ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେବା ପରେ ହୋଟେଲ୍ ରୁମ୍ ଭିତରକୁ ପଶିଯାଇ ଭିତରୁ କବାଟ ବନ୍ଦ କରି ଦେଇଥିଲେ। ବାହାରେ ଥିବା ତାଙ୍କର ସୁରକ୍ଷା କର୍ମୀମାନେ ବହୁ ସମୟ ପର୍ୟ୍ୟନ୍ତ ତେଜପ୍ରତାପ କବାଟ ନ ଖୋଲିବାରୁ ହୋଟେଲ କର୍ମଚାରୀଙ୍କ ସହାୟତାରେ ରୁମ୍ ଖୋଲାଇଥିଲେ। ସେତେବେଳକୁ ପଛପଟେ ଥିବା ଏକ କବାଟ ଦେଇ ତେଜପ୍ରତାପ ପଳାୟନ କରିଥିବା ସାମ୍ନାକୁ ଆସିଥିଲା। ସେ ଉତ୍ତରପ୍ରଦେଶର ବାରଣାସୀ କିମ୍ବା ବୃନ୍ଦାବନ ଯାଇ ପାରିଥାନ୍ତି ବୋଲି ଅନୁମାନ କରାଯାଇଛି।