ଦରଫୁଟା ଭାତ ଉତୁରା ପେଜରେ ପିଅନ୍ତୁ ଚାମଚେ ଏହି କ୍ଷୀର , ଦୂର ହେବ ଅର୍ଶ ରୋଗ

(ଭୁବନେଶ୍ୱର/ରିପୋର୍ଟସଟୁଡେ): ଅମୃତଭଣ୍ଡାରେ ଭରି ରହିଛି ଅନେକ ଅମୃତ ଗୁଣ । ଏହାର ବହୁ ଔଷଧୀୟ ଗୁଣ ଥିବାରୁ ଖାଦ୍ୟରେ ଏହାକୁ ନିୟମିତ ଗ୍ରହଣ କଲେ ଅନେକ ରୋଗ ଦୂର ହୁଏ ।ଦରଫୁଟା ଭାତର ଉତୁରା ପେଜରେ ଚାମଚେ ଅମୃତଭଣ୍ଡା କ୍ଷୀର ମିଶାଇ ପିଇଲେ ରକ୍ତାର୍ଶ, ଅଗ୍ନିମାନ୍ଦ୍ୟ ଓ କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂରହୋଇଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି। ଏକ କପ ଉଷୁମ ପାଣିରେ ଏହାକୁ ପିଇଲେ ସ୍ତ୍ରୀମାନଙ୍କର କ୍ଷୀର ବୃଦ୍ଧି ପାଏ। ଅମୃତଭଣ୍ଡା ସିଝା ପ୍ରତିଦିନ ଖାଇଲେ ଶୂଳରୋଗରୁ ରୋଗୀ ମୁକ୍ତି ମିଳେ । ଏହାର ପତ୍ରକୁ ବାଟି ତାୱାରେ ଗରମ କରି ଉଷୁମ ଥିବା ଅବସ୍ଥାରେ ବାଗି ଉପରେ ଲେପନ କଲେ ଅତି ଶୀଘ୍ର ବାଗି ବସିଯାଏ। ଅମୃତଭଣ୍ଡା ପତ୍ରରେ ଜଡ଼ାତେଲ ଲଗାଇ ରଡ଼ନିଆଁରେ ଗରମ କରି ଉଷୁମ ଥିବା ଅବସ୍ଥାରେ ଶୋଥ ଓ ବେଦନାଯୁକ୍ତ ଅଙ୍ଗରେ ବାନ୍ଧିଲେ ଆରାମ ମିଳେ। ଅମୃତଭଣ୍ଡା ଫୁଲକୁ ବାଟି ବ୍ରଣ ଉପରେ ଦେଲେ ବ୍ରଣରୁ ମିଳିଥାଏ ମୁକ୍ତି। ଏହାର କ୍ଷୀର ଯାଦୁ, ବିଇଞ୍ଚତ୍ ଘା, କୁଣ୍ଡିଆରେ ଲଗାଇଲେ ଏସବୁ ଚର୍ମ ରୋଗ ଭଲ ହୁଏ। ଏପରିକି ଉପଦଂଶ ବ୍ରଣ ମଧ୍ୟ ଭଲ ହୋଇଥାଏ ବୋଲି ଚିକିତ୍ସକ ସୂଚିତ କରିଥାନ୍ତି। ଭୋଜନ ପୂର୍ବରୁ ୨ ଚାମଚ ଅମୃତଭଣ୍ଡା କ୍ଷୀର ସହିତ ଏକ ଚାମଚ ଚିନି ମିଶାଇ ପ୍ରତିଦିନ ସେବନ କଲେ କ୍ଷୁଧା ବୃଦ୍ଧି ପାଏ। କିଛି ଦିନ ଏହାକୁ ସେବନ କଲେ ପ୍ଲୀହା ଓ ଯକୃତ ବୃଦ୍ଧି ମଧ୍ୟ ନିବାରିତ ହୋଇଥାଏ।