ପ୍ରକୃତି ସହ ଆଦିବାସୀ ସମାଜର ନିବିଡ ସମ୍ପର୍କ

ଜଙ୍ଗଲ ତାଙ୍କ ପାଇଁ କେବଳ ଜୀବନ ଜୀବିକାର ଉତ୍ସ ନୁହେଁ, ବରଂ ଜୀବନର ଅବିଚ୍ଛେଦ୍ୟ ଅଂଶ । ମାଟି, ପାଣି, ପବନ, ଗଛଲତା ଓ ପ୍ରକୃତି ସହ ଆଦିବାସୀ ସମାଜର ରହିଛି ଶହ ଶହ ବର୍ଷର ନିବିଡ଼ ସମ୍ପର୍କ । ଏହି ପରମ୍ପରା ଓ ପ୍ରକୃତି ପ୍ରତି ଆସ୍ଥାର ଏକ ଅନନ୍ୟ ପର୍ବ ହେଉଛି ରାଜି କାରାମ ପୂଜା ।କର୍ମର ଦେବୀ କରମସାନିଙ୍କ ପୂଜନ ଉତ୍ସବ ଭାଦ୍ରବ ଏକାଦଶୀ ତିଥିରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଛି । ସପ୍ତ କୁମାରୀ ଉପାସନାର ଏହି ପର୍ବ ବିଭିନ୍ନ ଅନୁସୂଚିତ ଜାତିର ବସ୍ତିରେ ଗତକାଲି ରାତି ତମାମ ପାଳନ ହେବା ପରେ ଆଜି ସକାଳେ ଡାଳ ଉହୁଲା ସହ ଏହି ପର୍ବ ଉଦଯାପିତ ହୋଇଯାଇଛି । ଏହି କରମସାନି ପର୍ବର ମୁଖ୍ୟ ଆକର୍ଷଣ ହୋଇଥାଏ ସାତ ଜଣ କୁମାରୀ କନ୍ୟା ସାତ ଦିନ ପୂର୍ବରୁ ମହାନଦୀ ରୁ ସାତ ଗୋଟି ଚାଙ୍ଗୁଡ଼ି ରେ ବାଲି ଆଣି ନିର୍ଧାରିତ ପୀଠ ରେ ସ୍ଥାପନା ପୂର୍ବକ ସେହି ବାଲିରେ ମୁଗ, ବିରି, କୋଳଥ,ରାଶି ଭଳି ଶସ୍ୟ ରଖି ପୂଜାର୍ଚନା କରନ୍ତି । ଗତକାଲି ଭାଦ୍ରବ ଏକାଦଶୀ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ସପ୍ତ କୁମାରୀ ଉପାସନାର ମହାନ ପର୍ବ କରମସାନି ଉପାସନାରେ ବୁଧବାର ରାତି ତମାମ କୁମାରୀ କନ୍ୟା ମାନେ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହ ଏହି ପର୍ବକୁ ପାଳନ କରାଯାଇଛି ।