ଆମ ଦେଶ ପାଇଁ ଭବିଷ୍ୟତରେ ଶ୍ରେଷ୍ଠ ସମ୍ବଳ ହେଉଛନ୍ତି ଆଜିର ଅମୃତ ପିଢ଼ି। ଭାରତ ବର୍ଷରେ ସଂଘଠିତ ସ୍ୱାଧୀନତା ସଂଗ୍ରାମର ଦୀର୍ଘ ସଂଘର୍ଷମୟ ଆଧ୍ୟାୟର ଇତିହାସ ସେମାନେ ବୁଝିବା ଆବଶ୍ୟକ। ଏହାର ଉତ୍ତର ଦାୟିତ୍ୱ ହେଉଛି ଆମ୍ଭମାନଙ୍କର ବୋଲି କହିଛନ୍ତି ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମଙ୍ଗଳବାର ସନ୍ଧ୍ୟାରେ ଐତିହାସିକ ଲୁଣିଆ ଗୁଳିକାଣ୍ଡର ୮୪ତମ ବର୍ଷ ପୂର୍ତ୍ତି ଶହୀଦ ସ୍ମୃତି ଦିବସ ସମାରୋହରେ ଏଭଳି ମତ ଦେଇଛନ୍ତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ।ସହିଦ ନଗର କାଳୀ ପଡ଼ିଆରେ ଆୟୋଜିତ ସମାରୋହ ସଭାରେ ପୋୖରହିତ୍ୟ କରି ଶହୀଦ ସ୍ମୃତି ରକ୍ଷା ସମିତିର ସଭାପତି ଧାମନଗର ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ ସ୍ୱାଧୀନତା ଆନ୍ଦୋଳନକୁ ଭଦ୍ରକ ମାଟିର ଅବଦାନ ଓ ଯୋଗଦାନ ଚିର ସ୍ମରଣୀୟ। ଲୁଣିଆ ଏବଂ ଇରମରେ ଦେଶ ମାତୃକାର ମୁକ୍ତି ସଂଗ୍ରାମରେ ଆତ୍ମବଳି ଦେଇଥିବା ସଂଗ୍ରାମୀଙ୍କ ପ୍ରତି ଆମେ କୃତଜ୍ଞ।ସେମାନଙ୍କ ତ୍ୟାଗ ଆମକୁ ସ୍ୱାଧୀନତା ଦେଇଛି।ଶହୀଦ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦଙ୍କ ପ୍ରତି ରାଜ୍ୟ ସରକାରଙ୍କର ଶ୍ରଦ୍ଧା ଓ ସମ୍ମାନ ରହିଛି।ମୁଖ୍ୟମନ୍ତ୍ରୀ ଏମାନଙ୍କ ପ୍ରତି ସମ୍ମାନ ଜଣାଇ ଯେଉଁ ଘୋଷଣା କରିଥିଲେ ତାହା ନିକଟରେ କାର୍ଯ୍ୟକାରୀ ହେବ। ପର୍ଯ୍ୟଟନ ସ୍ଥଳୀ ଘୋଷିତ ଶହୀଦ ପୀଠ ଶହୀଦ ନଗରର ବିକାଶ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ତାର ସଫଳ ରୂପାୟନ ମଧ୍ୟ ସାକାର ରୂପ ନେବ। ଦେଶ ଓ ଜାତିର ସଂବୃଦ୍ଧି ପାଇଁ ଆଜିର ସଚେତନ ଯୁବପିଢ଼ିଙ୍କୁ ଦାଇତ୍ୱବାନ ହେବାକୁ ସେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ କହିଲେ ଯେ ସ୍ୱାଧୀନତା ସଂଗ୍ରାମର ପୂଣ୍ୟ କ୍ଷେତ୍ର ଲୁଣିଆର ଇତିହାସ ଦେଶକୁ ପ୍ରେରଣା ଦେଇଥିବା ବେଳେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମ ମାଟି ଭଦ୍ରକ ଜିଲ୍ଲାର ଆଗରପଡ଼ା, ଇରମ ଲୁଣିଆ ସହ ଅନ୍ୟାନ୍ୟ ଐତିହ୍ୟ ସ୍ଥାନକୁ ନେଇ ଏକ ସ୍ଵତନ୍ତ୍ର ପ୍ରକଳ୍ପ ପରିକଳ୍ପନା କରାଗଲେ ଆମର ଆଗାମୀ ବଂଶଧର ବହୁତ କିଛି ଶିଖିବା ପାଇଁ ସୁଯୋଗ ପାଇ ପାରିବେ।ଶହୀଦ ସ୍ମୃତି ରକ୍ଷା ସମିତିର ଉପସଭାପତି ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ ସଭା ସଞ୍ଚାଳନ କରିଥିଲା ବେଳେ ବରିଷ୍ଠ ନେତା ଅଶୋକ କୁମାର ପୁହାଣ, ପୂର୍ବତନ ଜିଲ୍ଲା ପରିଷଦ ମନୋରଞ୍ଜନ ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିରକା, ଉପ ସଭାପତି ସଂଜୀବ ବେହେରା, ସଂପାଦକ ଶ୍ରୀକାନ୍ତ ନାୟକ, ରାଜେନ୍ଦ୍ର କୁମାର ସାହୁ, ସରପଞ୍ଚ ଅନୁସୂୟା ସାହୁ, ତୁଷାର ମିଶ୍ର, ସତ୍ୟ ନାରାୟଣ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଉପଦେଷ୍ଟା ରଘୁନାଥ ଲେଙ୍କା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦିକା ପ୍ରିୟତମା ପାଣିଗ୍ରାହୀ ବିବରଣୀ ପାଠ କରିଥିଲେ। ଏହି ପରିପ୍ରେକ୍ଷୀରେ ଶହୀଦ ସଂଗ୍ରାମୀଙ୍କ ପରିବାର ଏବଂ ସଂଗ୍ରାମୀ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତି ରକ୍ଷା ସମିତିର ସାଧାରଣ ସମ୍ପାଦକ ଗୟାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।