ମହାପ୍ରସାଦ ପାଇଁ ଭକ୍ତଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିନପାରେ। ଭକ୍ତମାନେ କିଭଳି ସହଜରେ ମହାପ୍ରସାଦ ପାଇପାରିବେ, ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଯୋଜନା କରୁଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରର ଉତ୍ତର କିମ୍ବା ଦକ୍ଷିଣ ଦ୍ୱାର ନିକଟରେ ସ୍ୱତନ୍ତ୍ର କାଉଣ୍ଟର ଖୋଲି ଟୋକନ ମାଧ୍ୟମରେ ମହାପ୍ରସାଦ ଯୋଗାଇବାକୁ ପ୍ରସ୍ତାବ ରହିଛି।
ବର୍ତ୍ତମାନ ମହାପ୍ରସାଦ ପାଇଁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ବେଢ଼ା ଭିତରେ ଥିବା ଆନନ୍ଦବଜାରକୁ ଯିବାକୁ ପଡ଼ୁଛି। ଫଳରେ କେବଳ ମହାପ୍ରସାଦ ନେବା ପାଇଁ ଆସୁଥିବା ଭକ୍ତମାନେ ମଧ୍ୟ ବ୍ୟାରିକେଡ୍ରେ ଦୀର୍ଘ ସମୟ ଧରି ଅପେକ୍ଷା କରୁଛନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦକ୍ଷିଣ କିମ୍ବା ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ଟୋକନ କାଉଣ୍ଟର ଖୋଲିବାକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ଏହି ପ୍ରସ୍ତାବକୁ ନେଇ ଆଲୋଚନା ଚାଲିଥିବାବେଳେ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ, ସେନେଇ ଶ୍ରୀମନ୍ଦିର ପ୍ରଶାସନ ବିଚାର କରୁଛି। କାର୍ତ୍ତିକ ମାସ ସୁଦ୍ଧା ଭକ୍ତଙ୍କ ପାଇଁ ଏଭଳି ସୁବିଧା ଉପଲବ୍ଧ କରାଇବାକୁ ଉଦ୍ୟମ ଚାଲିଥିବା ସୁଆର ମହାସୁଆର ନିଯୋଗ ସଭାପତି କହିଛନ୍ତି।
ଅନ୍ୟପଟେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲି ଭକ୍ତଙ୍କୁ ପ୍ରବେଶ ସୁଯୋଗ ଦେବାକୁ ସରକାର ଘୋଷଣା କରିଥିଲେ ମଧ୍ୟ ଏହା ଏଯାଏଁ ସମ୍ଭବ ହୋଇନାହିଁ। ସ୍ୱତନ୍ତ୍ର ପ୍ରବେଶ ଦାବିରେ ପୁରୀବାସୀ ଦୀର୍ଘଦିନ ଧରି ପଦଯାତ୍ରା କରୁଛନ୍ତି। ଏପରି ସ୍ଥିତିରେ ମହାପ୍ରସାଦ ପାଇଁ ପ୍ରସ୍ତାବିତ ଟୋକନ ବ୍ୟବସ୍ଥା କେବଳ ପୁରୀବାସୀଙ୍କ ପାଇଁ ଲାଗୁ କରାଯିବା ଉଚିତ ନୁହେଁ ବୋଲି କିଛି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।
ସେପଟେ ଟୋକନ ବ୍ୟବସ୍ଥା ନେଇ ପରିଚାଳନା କମିଟି ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି।
ଏଥିସହ ଭକ୍ତଙ୍କୁ ମାଗଣାରେ ଅଳ୍ପ ପରିମାଣର ମହାପ୍ରସାଦ ବଣ୍ଟନ ପାଇଁ ମଧ୍ୟ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଏଥିପାଇଁ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଏକ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରିବାକୁ ଯୋଜନା ଚାଲିଛି। ଯଦି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୁଏ, ତେବେ ମହାପ୍ରସାଦ ପାଇଁ ଭକ୍ତଙ୍କ ଦୀର୍ଘ ସମୟର ଅପେକ୍ଷା କମିବା ସହ ଦର୍ଶନ ଓ ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା ଆହୁରି ସୁଗମ ହୋଇପାରେ।