ଛତୁ ତୋଳିବାକୁ କେନ୍ଦ୍ରକରି ଗଣ୍ଡଗୋଳ , ଟାଙ୍ଗିଆ ଚୋଟ ରେ ଯୁବକ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ପଞ୍ଚାୟତ ଜାମୁନାଳୀ ଗାଁରେ ଛତୁ ତୋଳିବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି। ଏଥିରେ ଜଣେ ସମ୍ପର୍କୀୟ ଭାଇଙ୍କ ଟାଙ୍ଗିଆ ଚୋଟରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି।ଗୁରୁତର ଯୁବକ ହେଉଛନ୍ତି ଜାମୁନାଳୀ ଗାଁର ସରୋଜ ମୁଣ୍ଡା। ସୂଚନା ଅନୁଯାୟୀ, ଛତୁ ତୋଳିବାକୁ ନେଇ ସରୋଜ ଓ ତାଙ୍କ ସମ୍ପର୍କୀୟ ଭାଇ ମଣ୍ଟୁ ମୁଣ୍ଡାଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ବଚସା ଗଣ୍ଡଗୋଳର ରୂପ ନେଇଥିବା ବେଳେ, ମଣ୍ଟୁ ଟାଙ୍ଗିଆରେ ସରୋଜଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛିl ଗୁରୁତର ସରୋଜଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଘଟଣା ସମ୍ପର୍କରେ ଖବର ପାଇ ପରଜଙ୍ଗ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।